ବିବାହ ପଞ୍ଜିକରଣ ପାଇଁ ଧର୍ମ ଏକ ପ୍ରତିବନ୍ଧକ ହୋଇପାରିବ ନାହିଁ : କେରଳ ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିବାହ ପଞ୍ଜିକରଣ ପାଇଁ ଧର୍ମକୁ ବିଚାର କରିବା ଯୁକ୍ତିଯୁକ୍ତ ନୁହେଁ । ଧର୍ମ ପାଇଁ ବିବାହ ପଞ୍ଜିକରଣରେ ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ୍ ନୁହେଁ କେରଳ ମ୍ୟାରେଜ ରେଜିଷ୍ଟ୍ରେସନ ନିୟମ ୨୦୦୮ ଆଧାରରେ ଏହା କହିଛନ୍ତି କେରଳ ହାଇକୋର୍ଟ । ଏକ ଆବେଦନର ବିଚାର କରି କେରଳ ହାଇକୋର୍ଟର ବିଚାରପତି ପି ଭି କୁନହିକ୍ରିଷ୍ଣନ ଏହି ରାୟ ଦେଇଛନ୍ତି ।

ତେବେ ପିଆର ଲଲନ ଏବଂ ଆଇଶା କେରଳ ଏରନାକୁଲମର ବାସିନ୍ଦା । ଜଣେ ହିନ୍ଦୁ ହୋଇଥିବା ବେଳେ ଅନ୍ୟ ଜଣେ ମୁସଲିମ୍ । ଡିସେମ୍ବର ୨, ୨୦୨୧ରେ ହିନ୍ଦୁ ରୀତିନୀତି ଅନୁଯାୟୀ ଉଭୟ ବିବାହ କରିଥିଲେ । ହେଲେ ଯୁବତୀ ଜଣଙ୍କ ମୁସଲିମ ହୋଇଥିବାରୁ ସ୍ପେଶାଲ ମେରେଜ ଆକ୍ଟ ଅନୁଯାୟୀ ବିବାହ ପଞ୍ଜିକରଣ ହୋଇପାରିବ ନାହିଁ ବୋଲି କୋଚି କୋରପୋରେସନ ସୋସାଇଟିର ଅଧିକାରୀ କହିଥିଲେ । ଏହାପରେ ଉଭୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ବିଚାରପତି ପି ଭି କୁନହିକ୍ରିଷ୍ଣନ ସୁପ୍ରିମକୋର୍ଟଙ୍କ ଏକ ରାୟକୁ ଆଧାର କରି ଦୁଇ ସପ୍ତାହ ମଧ୍ୟରେ ବିବାହ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ବିବାହ କରିନଥାନ୍ତେ ତାହେଲେ ବିବାହ ପଞ୍ଜିକରଣ ନେଇ ବିଚାର ହୋଇପାରେ । କିନ୍ତୁ ବିବାହ ସରିଥିବାରୁ ଉଭୟ ମହିଳା ଏବଂ ପିଲାର ସୁରକ୍ଷା ଜରୁରୀ ବୋଲି ବିଚାରପତି କହିଛନ୍ତି ।

ଭାରତ ଏକ ଧର୍ମନିରପେକ୍ଷ ଦେଶ । ଏଠାରେ ସମସ୍ତେ ନିଜ ନିଜ ଧର୍ମ ପାଳନ କରିପାରିବେ । ଏଥିସହ ବିବାହ ମଧ୍ୟ ନିଜ ଇଛାରେ କରିପାରିବେ । ତେଣୁ ବିବାହ ପଞ୍ଜିକରଣ ଉପରେ ଆପତ୍ତି ଉଠାଇବା ଠିକ୍ ନୁହେଁ ବୋଲି କହିଛନ୍ତି କେରଳ ହାଇକୋର୍ଟ ।

Related Posts