ରୋମ : ଇସ୍ତଫା ଦେଲେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି । ଜାତୀୟ ଏକତା ମିଳିତ ସରକାର ଭଙ୍ଗିବା ପରେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ।
ମିଳିତ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ସଦସ୍ୟମାନେ ଟ୍ରଷ୍ଟ ଭୋଟ୍ରେ ଅଂଶଗ୍ରହଣ ନ କରିବା ପରେ ପ୍ରଧାନମନ୍ତ୍ରୀ ମାରିଓଙ୍କୁ ଇସ୍ତଫା ଦେବାକୁ ପଡିଛି। ଏବେ ଦେଶରେ ପୁଣି ଥରେ ନିର୍ବାଚନ ଅନୁଷ୍ଠିତ ହେବ।
କ୍ୱିରିନାଲେ ପ୍ୟାଲେସରେ ଏକ ବୈଠକରେ ମାରିଓ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ସର୍ଜିଓ ମତ୍ତାରେଲାଙ୍କୁ ଦେଇଛନ୍ତି। ନିର୍ବାଚନ ନ ହେବା ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ ମାରିଓଙ୍କୁ ରାଷ୍ଟ୍ରପତି କହିଛନ୍ତି।
ଜାତୀୟ ଏକତା ମିଳିତ ସରକାରର ଦ୍ୱିତୀୟ ସବୁଠୁ ବଡ଼ ପାର୍ଟି ଥିବା ଫାଇଭ୍ ଷ୍ଟାର ମୁଭମେଣ୍ଟ୍ କହିଛି ଯେ, ପ୍ରଧାନମନ୍ତ୍ରୀ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଧ୍ୟାନ ଦେଉ ନାହାଁନ୍ତି। ଏହା କାରଣରୁ ଦଳ ଟ୍ରଷ୍ଟ ଭୋଟ୍ରେ ଅଂଶଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଥିଲା। ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ୨୦୨୩ରେ ଶେଷ ହେବ। କିନ୍ତୁ ଏହା ପୂର୍ବରୁ ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।
