
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦ ବର୍ଷ ହେଲା ଡାକ୍ତରଖାନା ଉଭାନ ହେଲେ କର୍ମଚାରୀ ନେଉଛନ୍ତି ମାସକୁ ମାସ ଦରମା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡ଼ା ଜିଲ୍ଲାର ଫକୀରାବାଦ ଠାରେ । ତେବେ ଡାକ୍ତରଖାନା ୨୦ ବର୍ଷ ହେଲା ଉଭାନ ହୋଇଯାଇଛି । କିନ୍ତୁ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ ମାସକୁ ମାସ ଦରମା ନେଉଛନ୍ତି । ଫଳରେ ସରକାରଙ୍କ ରାଜସ୍ୱ ହାନି ହେଉଥିବାବେଳେ ଲୋକେ ଚିକିତ୍ସା ସେବା ପାଉନାହାନ୍ତି । ରୋଗୀ ଖୋଜିଲେ ମଧ୍ୟ ଡାକ୍ତରଖାନାର ପତ୍ତା ମିଳୁନାହିଁ । ଡାକ୍ତରଖାନା ଥିବା ସ୍ଥାନରେ ଏବେ ଦୋକାନ ବଜାର ଗଢ଼ି ଉଠିଛି । ଏଇଠି ପ୍ରଶ୍ନ ଉଠୁଛି ଯେ ଯଦି ସହରାଞ୍ଚଳରେ ଏପରି ଘଟିପାରୁଛି ତାହାଲେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା କିପରି ଚାଲିଥିବ ?
ଅନ୍ୟପଟେ ୯୦ ଦଶକରେ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଫକୀରାବାଦରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପାରମ୍ପରିକ ପାର୍ସି-ଆରବିକ ୟୁନାନୀ ଚିକିତ୍ସା ପାଇଁ ଏକ ଡାକ୍ତରଖାନା ଖୋଲାଯାଇଥିଲା । ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକ ଏହି ଚିକିତ୍ସାଳୟରେ ଚିକିତ୍ସିତ ହେବା ସହ ଆବଶ୍ୟକ ପଡ଼ିଲେ ଏଠାରେ ରହୁଥିଲେ । ପ୍ରାୟ ୮ ବର୍ଷ ଏହି ଡାକ୍ତରଖାନା ଚାଲିଥିଲା । ତେବେ ୟେଲୋପାଥି ଔଷଧର ବହୁଳ ବ୍ୟବହାର ପାଇଁ ୟୁନାନୀ ଚିକିତ୍ସା କେନ୍ଦ୍ର ପ୍ରାୟ ଅଚଳ ହୋଇ ପଡ଼ିଥିଲା । କିଛିଦିନ ପରେ ଡାକ୍ତରଖାନାଟି ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । ହେଲେ ଏହି ଚିକିତ୍ସା କେନ୍ଦ୍ରର ପ୍ରତି ମାସରେ ଦରମା ନେଉଥିବାର ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।