ବାତ୍ୟା ଫନିରେ ଘର ମାଟିରେ ମିଶିଯିବା ପରେ ୩ ବର୍ଷ ହେଲା ପାଇଖାନାରେ ଘରେ ବିତୁଛି ଜୀବନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବାତ୍ୟା ଫନିରେ ଘର ମାଟିରେ ମିଶିଯିବା ପରେ ୩ ବର୍ଷ ହେଲା ପାଇଖାନାରେ ଘରେ ବିତୁଛି ଜୀନବ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପିପିଲି ରୂପଦେଇପୁର ପଞ୍ଚାୟତ ଅନ୍ତର୍ଗତ ଭାର୍ଗବୀ ନଦୀର ଅପରପାର୍ଶ୍ବ ନାହାମଙ୍ଗପାଟଣା ଗାଁ’ର ଶବରସାହିରେ । ସାହିର ପ୍ରଶାନ୍ତ ପାତ୍ର, ପତ୍ନୀ ଲକ୍ଷ୍ମୀପ୍ରିୟା ଓ ୩ବର୍ଷର କୋମଳ ଶିଶୁକନ୍ୟାଙ୍କ ଆଶ୍ରୟସ୍ଥଳ ପାଲଟିଛି ଏକ ପାଇଖାନା। ସେଇଠି ରୋଷେଇ,ସେଇ ଖାଇବା ସହ ରହୁଛନ୍ତି। ସେପଟେ ବାତ୍ୟା ଫନିରେ ଘର ମାଟିରେ ମିଶିଯିବା ପରେ ବାରମ୍ବାର ପ୍ରଶାସନିକ ତଦନ୍ତ ହୋଇଛି, କିନ୍ତୁ ଫଳ ଶୂନ୍ୟ। ସ୍ଥାନୀୟ ରାଜନେତା କି ସରକାରୀ ବଡ଼ବଡ଼ିଆଙ୍କର ଏମାନଙ୍କ ଉପରେ କେବେ ବି ନଜର ପଡ଼ିନି। ବାଧ୍ୟ ହୋଇ ଭାଗ୍ୟକୁ ଆଦରି ସରକାରୀ ସହାୟତା ଅପେକ୍ଷାରେ ପାଇଖାନା ଘରେ ଆଶ୍ରୟ ନେଇଛନ୍ତି ପ୍ରଶାନ୍ତଙ୍କ ପରିବାର।

ଏପରିକି ଏପର‌୍ୟ୍ୟନ୍ତ ତାଙ୍କର ରାସନ କାର୍ଡଟିଏ ହୋଇପାରି ନାହିଁ ବୋଲି ପ୍ରଶାନ୍ତ ଅଭିଯୋଗ କରିଛନ୍ତି। ଘର ନଥିବାରୁ ପାଇଖାନା ଘରେ ରହିବା ସହ ରାସ୍ତା କଡ଼ରେ ପରିବା ବିକି ପରିବାର ଚଳାଉଛନ୍ତି ପ୍ରଶାନ୍ତ।ଏ ସମ୍ପର୍କରେ ପିପିଲି ବିଡିଓ ରଶ୍ମିତା ନାଥଙ୍କୁ ପଚାରିବାରୁ ଖୁବଶିଘ୍ର ଏହାର ତଦନ୍ତ କରାଯିବ ଓ ଯଦି ସେ ଆବାସ ଯୋଜନାରେ ଘର ପାଇବାକୁ ଯୋଗ୍ୟ ଥିବେ, ତେବେ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts