ୟୁଏନ୍‌ଏସ୍‌ସିରେ ଜୟଶଙ୍କରଙ୍କ ଉଦ୍‌ବୋଧନ : ଆଫଗାନିସ୍ତାନର ସ୍ଥିତି ଚିନ୍ତାଜନକ, ଆତଙ୍କବାଦ ବିରୁଦ୍ଧରେ ଏକାଠି ହେଉ ଦୁନିଆ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଜାତିସଂଘ ସୁରକ୍ଷା ପରିଷଦରେ ଉଦ୍‌ବୋଧନ ଦେଇଛନ୍ତି। ସମ୍ପ୍ରତି ଆଫଗାନିସ୍ତାନ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି ବିଦେଶ ମନ୍ତ୍ରୀ ଜୟଶଙ୍କର ୟୁଏନ୍‌ଏସ୍‌ସି ବୈଠକରେ କହିଛନ୍ତି। ଏଥିରେ ସେ ପାକିସ୍ତାନର ନାଁ ନନେଇ କହିଛନ୍ତି , କିଛି ଦେଶ ଆତଙ୍କବାଦର ସାହାଯ୍ୟ କରୁଛନ୍ତି , ଯାହାକୁ ରୋକିବା ଆବଶ୍ୟକ । ୟୁଏନ୍‌ଏସ୍‌ସି ବୈଠକରେ ବିଦେଶ ମନ୍ତ୍ରୀ ଜୟ ଶଙ୍କର କହିଛନ୍ତି , ଆତଙ୍କବାଦର ପ୍ରତି ରୂପକୁ ନିନ୍ଦା କରିବା ଉଚିତ୍‌ । ଏବଂ ଆତଙ୍କବାଦ ବିରୋଧରେ ବିଶ୍ବ ଏକଜୁଟ୍‌ ହେବାକୁ ପଡ଼ିବ ବୋଲି ମତ ରଖି ଜୟଶଙ୍କର କହିଛନ୍ତି ଯେ ଆତଙ୍କବାଦକୁ ଯେଉଁ ରାଷ୍ଟ୍ରମାନେ ପ୍ରୋତ୍ସାହନ ଦେଉଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ। ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ଆଗକୁ ବି ପୂରା ସମର୍ଥନ ଦେବାକୁ ପ୍ରସ୍ତୁତ ଅଛି ।

ଆଫଗାନିସ୍ତାନ ଭଳି ଯୁଦ୍ଧଗ୍ରସ୍ତ ଦେଶରୁ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରାଇବା ଆମର ପ୍ରଥମ ଦାୟିତ୍ବ ବୋଲି ବିଦେଶ ମନ୍ତ୍ରୀ କହିଛନ୍ତି।

ଆଫଗାନ ବାସିନ୍ଦାଙ୍କ ସହ ଭାରତର ସମ୍ପର୍କ ବହୁତ ପୁରୁଣା ଏବଂ ଏହି ଆଧାରରେ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି ଜୟଶଙ୍କର କହିଛନ୍ତି। ଆଫଗାନ ବାସୀଙ୍କୁ ସ୍ବାର୍ଥକୁ ଗୁରୁତ୍ବ ଦେଇ ଭାରତ କାମ କରିବ ଏବଂ ସେହି ଆଧାରରେ ଭବିଷ୍ୟତ ରଣନୀତି ସ୍ଥିର ହେବ । ବର୍ତ୍ତମାନ କାବୁଲ୍‌ ସ୍ଥିତି ଉପରେ ଭାରତ ସତର୍କ ନଜର ରଖିଛି ଏବଂ ଅନ୍ୟ ଦିଗ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ୟୁଏନ୍‌ଏସ୍‌ସିର ଅଧ୍ୟକ୍ଷତା ଭାରତ ପାଖରେ ରହିଛି । ଗୁରୁବାର ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ସୁରକ୍ଷା ପାଇଁ ବିପଦ ମାମଲା ଉପରେ ଆଲୋଚନା ହୋଇଥିଲା । ଜୟଶଙ୍କର କହିଥିଲେ , ଆତଙ୍କବାଦକୁ କୌଣସି ଧର୍ମ , ରାଷ୍ଟ୍ର , ସଭ୍ୟତା ବା ପୁଣି ଜାତୀୟ ସମୂହ ସହ ଯୋଡ଼ି ଦେଖିବା ଉଚିତ୍‌ ନୁହେଁ। ସେ ପୁଣି କହିଥିଲେ କି ଆତଙ୍କବାଦର ସବୁ ରୂପରୁ ନିନ୍ଦା ହେବା ଉଚିତ୍‌ ।

Related Posts