(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦେଶରେ 3.86 କୋଟିରୁ ଅଧିକ ଲୋକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କୋଭିଡ ଟିକା – କୋଭିଶିଲ୍ଡ ଏବଂ କୋଭାକ୍ସିନର ଦ୍ୱିତୀୟ ଡୋଜ ନେଇ ନାହାଁନ୍ତି। ଆରଟିଆଇ ମାଧ୍ୟମରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି। କୋ-ୱିନ୍ ପୋର୍ଟାଲରେ ଉପଲବ୍ଧ ସୂଚନା ଅନୁଯାୟୀ, 44,22,85,854 ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଥିବାବେଳେ ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ 12,59,07,443 ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି।
ସୂଚନା ଅଧିକାର ଅଧିନିୟମ ଅନୁଯାୟୀ ଆରଟିଆଇ ଆକ୍ଟିଭିସ୍ଟ ରମଣ ଶର୍ମା କେନ୍ଦ୍ର ସରକାରଙ୍କୁ ପଚାରିଥିଲେ ଯେ ଦେଶରେ କେତେ ଲୋକ କୋଭିଶିଲ୍ଡ କିମ୍ବା କୋଭାକ୍ସିନର ପ୍ରଥମ ଡୋଜ ନେଇଛନ୍ତି କିନ୍ତୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଦ୍ୱିତୀୟ ଡୋଜ ନେଇ ନାହାଁନ୍ତି।
ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର COVID-19 ଭ୍ୟାକ୍ସିନ୍ ଆଡମିନିଷ୍ଟ୍ରେସନ୍ ସେଲ୍ କହିଛି ଯେ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ 84-112 ଦିନ ମଧ୍ୟରେ ସୁପାରିଶ କରିଥିବାବେଳେ କୋଭାକ୍ସିନ୍ ଟିକାର ଦ୍ବିତୀୟ ଡୋଜ 28-42 ଦିନ ମଧ୍ୟରେ ନେବା ପାଇଁ ସୁପାରିଶ କରାଯାଇଛି।
ଉତ୍ତରରେ କୁହାଯାଇଛି ଯେ କୋ-ୱିନ୍ ପୋର୍ଟାଲ ଆଧାରରେ ଟୀକାକରଣର ପ୍ରଥମ ଡୋଜ ନେବା ପରେ ଭାରତ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ସମୟସୀମା ମଧ୍ୟରେ କୋଭିଶିଲ୍ଡର ଦ୍ୱିତୀୟ ଡୋଜ ନେଇନଥିବା ଲୋକଙ୍କ ସଂଖ୍ୟା ହେଉଛି (ଅଗଷ୍ଟ 17, 2021 ସୁଦ୍ଧା) 3,40,72,993। ଆରଟିଆଇ ଉତ୍ତରରେ ଏହା ମଧ୍ୟ କୁହାଯାଇଛି ଯେ କୋ-ୱିନ୍ ପୋର୍ଟାଲ ଅନୁଯାୟୀ, ଅଗଷ୍ଟ 17 ପର୍ଯ୍ୟନ୍ତ ଧାର୍ଯ୍ୟ ସମୟ ସୀମା ମଧ୍ୟରେ କୋଭାକ୍ସିନର ଦ୍ୱିତୀୟ ଡୋଜ ନେଇ ନ ଥିବା ଲୋକଙ୍କ ସଂଖ୍ୟା 46,78,406 ଅଟେ। ଏଥିରେ କୁହାଯାଇଛି, ‘ଯେଉଁ ଯୋଗ୍ୟ ବ୍ୟକ୍ତି ମାନେ ପ୍ରଥମ ଡୋଜ ଟିକା ଗ୍ରହଣ କରିଛନ୍ତି ସେମାନଙ୍କୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଦ୍ୱିତୀୟ ଡୋଜ ନେବାକୁ ପରାମର୍ଶ ଦିଆଯାଇଛି।’ କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି ଯେ ସମାନ ଟିକା ର ଉଭୟ ଡୋଜ ନେବା ବାଧ୍ୟତାମୂଳକ ଅଟେ।