ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା | ଆତଙ୍କବାଦୀ ବିରୋଧୀ ଅଭିଯାନ ମଧ୍ୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ ଆତଙ୍କୀ | ଏଥିସହ ଜଣେ ଆତଙ୍କବାଦୀକୁ ଜୀବନ୍ତ କାବୁ କରାଯାଇଥିବା ସୂଚନା ପ୍ରକାଶ ପାଇଛି | ଜମ୍ମୁ-କଶ୍ମୀରର ଗାନ୍ଦେରବଲ, ପୁଲୱାମା ଓ ହାଣ୍ଡୱାରାରେ ଚାଲିଥିଲା ଏନକାଉଣ୍ଟର |

କଶ୍ମୀର ଆଇଜିପି କୁମାରଙ୍କ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକାଧିକ ସ୍ଥାନରେ ଏନକାଉଣ୍ଟର ହୋଇଥିଲା। ପୁଲୱାମାରେ ଜୈଶର ୨ ଜଣ, ଗାନ୍ଦେରବଲରେ ଲସ୍କର ଜଣେ ଓ ହାଣ୍ଡୱାରାରେ ମଧ୍ୟ ଜଣେ ଆତଙ୍କୀ ନିହତ ହୋଇଛି। ହାଣ୍ଡୱାରା ଓ ପୁଲୱାମାରେ ଏନକାଉଣ୍ଟର ଶେଷ ହୋଇଛି। ତେବେ ଗାନ୍ଦେରବଲରେ ଏନକାଉଣ୍ଟର ଜାରି ରହିଛି। ସେହିପରି ଜଣେ ଆତଙ୍କୀକୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଶୁକ୍ରବାର ବିଳମ୍ବିତ ରାତିରେ କଶ୍ମୀରର ଏକାଧିକ ସ୍ଥାନରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ପୁଲିସ୍ ଓ ସେନା ଯବାନଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ୩ଟି ଯାକ ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ରାତି ତମାମ ଏନକାଉଣ୍ଟର ଜାରି ରହିଥିବା ବେଳେ ଭୋର ସମୟରେ ପୁଲିସ୍ ମୃତାହତଙ୍କ ସମ୍ପର୍କରେ ସୂଚନା ଦେଇଛି।

ଏଯାଏ ଗାନ୍ଦେରବଲରେ ଜଣେ ଲସ୍କର ଆତଙ୍କୀ ନିହତ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଆଉ କିଛି ଆତଙ୍କୀ ଥିବାରୁ ଏନକାଉଣ୍ଟର ବନ୍ଦ ହୋଇ ନଥିବା କଶ୍ମୀର ଜୋନ ପୁଲିସ୍‌ ଟ୍ୱିଟ କରିଛି। ପୁଲିୱାମାର ଚେୱା କଲାନ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟର୍‌ରେ ଜୈଣ ୨ ଜଣ ଆତଙ୍କୀ ପ୍ରାଣ ହରାରଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ନାଗରିକ ରହିଛି। ଚେୱା କଲାନ ଅଞ୍ଚଳରେ ଆହୁରି ଦୁଇ ଜଣ ଆତଙ୍କୀ ଲୁଚି ରହିଥିବା ଆଶଙ୍କା କରାଯାଉଛି।