ଜମ୍ମୁ-କଶ୍ମୀର ଭୋଟର ତାଲିକାରେ ବାହାର ଲୋକ ସାମିଲ ହେଲେ ରାଜ୍ୟ ନିଜର ପରିଚୟ ହରାଇବ: ଫାରୁକ୍‌ ଅବଦୁଲ୍ଲା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜମ୍ମୁ-କଶ୍ମୀରର ଭୋଟର ତାଲିକାରେ ବାହାର ରାଜ୍ୟର ଲୋକଙ୍କୁ ସାମିଲ କରିବା ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ। ଏହାକୁ ସବୁ ପ୍ରକାରେ ବିରୋଧ କରାଯିବା ସହ କୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା ନିଜ ପ୍ରତିକ୍ରିୟାରେ କହିଛନ୍ତି। ତେବେ ଗତକାଲି ରାଜ୍ୟର ୯ଟି ଦଳକୁ ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ବାହାର ଲୋକଙ୍କୁ ଜମ୍ମୁ-କଶ୍ମୀରରେ ଭୋଟ ଅଧିକାର ଦେବା ଲାଗି ସରକାରଙ୍କ ନିଷ୍ପତ୍ତି ବିରୋଧରେ ଏକାଠି ହେବା ଲାଗି ଫାରୁକ୍‌ ୯ଟି ଦଳର ବୈଠକ ଡାକିଥିଲେ। ଏହି ନିଷ୍ପତି ଦ୍ଵାରା ରାଜ୍ୟର ପରିଚୟ ଲିଭିଯିବାକୁ ଯାଉଛି। ଏଠାରେ ବସବାସ କରୁଥିବା ଡୋଗ୍ରା, କଶ୍ମୀରୀ ପହାରି ବା ଗୁଜ୍ଜର ଅଥବା ଶିଖ୍‌ମାନେ ସେମାନଙ୍କ ପରିଚୟ ହରାଇବେ। ବିଧାନସଭା ବାହାର ଲୋକଙ୍କ ହାତରେ ରହିବ। ଆମେ ଏହାର ବିରୋଧ କରୁଛୁ ବୋଲି ଫାରୁକ୍‌ କହିଛନ୍ତି।

ସୂଚନା ଅନୁସାରେ ଏହି ବୈଠକରେ ଏନ୍‌ସି ସମେତ କଂଗ୍ରେସ, ପିଡିପି, ଆଓ୍ବାମୀ ନ୍ୟାଶନାଲ କନ୍‌ଫରେନ୍ସ, ଶିବସେନା, ସିପିଆଇ, ସିପିଆଇ(ଏମ୍‌), ଜେଡିୟୁ, ଅକାଳୀ ଦଳ ମାନଙ୍କର ପ୍ରମୁଖ ଯୋଗଦେଇଥିଲେ। ଅନ୍ୟପକ୍ଷରେ ସଂଶୋଧିତ ଭୋଟର ତାଲିକାରେ ବାହାର ଭୋଟରଙ୍କ ନାଁ ରହିଥିବା କହି ଲୋକଙ୍କ ମନରେ ବିଷମଞ୍ଜି ବୁଣିବାକୁ ଏନ୍‌ସି, ପିଡିପି ଓ ଅନ୍ୟ ଦଳଗୁଡ଼ିକ ଉଦ୍ୟମ କରୁଥିବା ଭାଜପା ଅଭିଯୋଗ କରିଛି।

Related Posts