ଜାମ୍ମୁ-କାଶ୍ମୀର ଏନକାଉଣ୍ଟର ଘଟଣା; ୪ ଆତଙ୍କବାଦୀ ନିହତ, ୭ ଏକେ-୪୭, ଏମ-୪ କାର୍ବାଇନ ସମେତ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜମ୍ମୁ ଉପକଣ୍ଠରେ ଆଜି ସକାଳେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଚାରି ଜଣ ଆତଙ୍କବାଦୀ ନିହତ ହେବା ପରେ ସେମାନଙ୍କ ନିକଟରୁ ସାତଟି ଏକେ-୪୭ ରାଇଫଲ, ଗୋଟିଏ ଆମେରିକା ନିର୍ମିିତ ଏମ ୪ ରାଇଫଲ, ତିନିଟି ପିସ୍ତଲ ଏବଂ ଗ୍ରେନେଡ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି ବୋଲି ପୁଲିସ କହିଛି।

ସୁଚନା ଅନୁସାରେ, ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ସିଦ୍ରା ବାଇପାସ୍‌ ଅଞ୍ଚଳର ତାଓ୍ଵି ବ୍ରିଜ୍‌ ନିକଟରେ ଆଜି ସକାଳ ୭ଟାରୁ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଯେତେବେଳେ ସୁରକ୍ଷା ବାହିନୀ ଏହି ଅଞ୍ଚଳ ଦେଇ ଯାଉଥିବା ଏକ ଟ୍ରକ୍‌ର ସନ୍ଦଗ୍ଧ ଗତିବିଧିକୁ ଚିହ୍ନଟ କରିଥିଲେ। ସୁରକ୍ଷା କର୍ମୀମାନେ ଯାଞ୍ଚ ପାଇଁ ଟ୍ରକକୁ ଅଟକାଇବାବେଳେ ଟ୍ରକ ଭିତରେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ ଏବଂ ସୁରକ୍ଷା ବାହିନୀର ପାଲଟା ଗୁଳି ଚାଳନାରେ ନିହତ ହୋଇଥିଲେ।

ଟ୍ରକ୍‌ର ସନ୍ଦଗ୍ଧ ଗତିବିଧିକୁ ଦେଖିବା ପରେ ସୁରକ୍ଷା କର୍ମୀମାନେ ଚେକ୍‌ ପୋଷ୍ଟରେ ଯାଞ୍ଚ ପାଇଁ ଟ୍ରକକୁ ଅଟକାଇଥିଲା। ସୁରକ୍ଷା ବାହିନୀ ଟ୍ରକର ତଲାସୀ ନେବାବେଳେ ଟ୍ରକ ଭିତରେ ଲୁଚି ରହିଥିବା ଆତଙ୍କବାଦୀ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ। ପରେ ସୁରକ୍ଷା ବାହିନୀ ମଧ୍ୟ ପାଲଟା ଗୁଲିଚାଳନା ଆରମ୍ଭ କରିଥିଲେ ଯେଉଁଥିରେ ସମସ୍ତ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ଜମ୍ମୁର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ମୁକେଶ ସିଂ କହିଛନ୍ତି। ଡିଜି ଶ୍ରୀ ସିଂ ଆହୁରି ମଧ୍ୟ କହିଛନ୍ତି ଯେ ଟ୍ରକ୍‌ ଡ୍ରାଇଭର ଖସିଯିବାରେ ସଫଳ ହୋଇଥିଲା ଏବଂ ତାକୁ ଟ୍ରାକ୍‌ କରିବା ପାଇଁ ଏବେ ସର୍ଚ୍ଚ ଅପରେସନ୍‌ ଚାଲିଛି।

ପୁଲିସ ସୂଚନା ଅନୁଯାୟୀ, ଏହି ଚାରି ଜଣ ଆତଙ୍କବାଦୀ ପାକିସ୍ତାନରୁ ଅନୁପ୍ରବେଶ କରିବା ପରେ କଶ୍ମୀର ଅଭିମୁଖେ ଯାତ୍ରା କରୁଥିଲେ। ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲେହ-ଲଦାଖ ଏବଂ ଜମ୍ମୁ-କଶ୍ମୀରରେ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ ଦୁଇଟି ପଛକୁ ପଛ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟକ୍ରମ ଥିବା ଦିନ ଏହି ଘଟଣା ଘଟିଛି।

Related Posts