ଭୁବନେଶ୍ୱର,୧୬/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇଛି। ଆଜି ଭୁବନେଶ୍ୱର ରାଜଭବନ ଆଗରେ ବିଜେପିର ନେତା ଓ କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଏହି ଧାରଣାରେ ଯୋଗଦେଇ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଯେଭଳି ଭାବେ ହତ୍ୟା କରାଗଲା ତାହା ଭୁଲି ହେବନାହିଁ। ହତ୍ୟାକାଣ୍ଡକୁ ୧୯ଦିନ ହେଲାଣି କିନ୍ତୁ ଏହାର କାରଣ ଜାଣି ହେଲା ନାହିଁ। ରାଜ୍ୟ ସରକାର କିଛି ନା କିଛି ଲୁଚାଉଛନ୍ତି। ଯଦି କିଏ ସ୍ୱର ଉଠାଇଲା ତା ସ୍ଵରକୁ ଦବାଇ ଦେବାକୁ ଚେଷ୍ଟା କରାଯାଉଛି।

ରାଜଭବନ ସାମ୍ନାରେ ଆନ୍ଦୋଳନ ସମୟରେ ଡି ପରୁନ୍ଦେଶ୍ବରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ଯିଏ ନ୍ୟାୟ ମାଗିଲା ତା ନାଁରେ ମିଛ ମାମଲା ରୁଜୁ ହେଉଛି। ଏପରିକି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ମିଛ ମାମଲା ରୁଜୁ ହୋଇଛି। ଜଣେ ମହିଳା ଆଇଆଇସି ବିରୋଧୀ ଦଳ ନେତାଙ୍କୁ ଧକ୍କା ଓ ମୁଥ ମାରୁଛନ୍ତି। ଜୟନାରାୟଣ ମିଶ୍ର ସୁରକ୍ଷିତ ନୁହନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଅଛି, ତେଣୁ ସରକାର ତାଙ୍କୁ ତୁରନ୍ତ ସୁରକ୍ଷା ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ପାରୁନାହାନ୍ତି। ଆଗାମୀ ଦିନରେ ଓଡ଼ିଶାବାସୀ ଏହାର ଜବାବ ନିଶ୍ଚିତ ଦେବେ। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ ହୋଇଛି। ମହିଳାଙ୍କ ଉପରେ କି ନ୍ୟାୟ ହେଉଛି ବୋଲି ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି।