(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିହାର ମୁଖ୍ୟମନ୍ତ୍ରୀ ଏନଡିଏ ସରକାରରେ ଥିଲେ ବି ତାଙ୍କ ଆତ୍ମା ଆମ (ବିରୋଧୀ) ସହ ଅଛି। ଶିବସେନାର ରାଜ୍ୟସଭା ସାଂସଦ ତଥା ଦଳର ମୁଖପାତ୍ର ସଞ୍ଜୟ ରାଓତ ଏଭଳି ମନ୍ତବ୍ୟ ଦେଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ତଥା ଏନଡିଏ ସହଯୋଗୀ ନୀତୀଶ କୁମାର ପେଗାସସ୍ ଫୋନ୍ ଟ୍ୟାପିଂ ମାମଲାରେ ବିରୋଧୀଙ୍କ ସ୍ବରରେ ସ୍ବର ମିଶାଇ ଏହି ମାମଲାର ତଦନ୍ତ ଦାବି କରିଥିଲେ ।
ଦେଶରେ ରାଜନେତା, ସାମ୍ବାଦିକ ଏବଂ ବିଚାରପତିମାନେ ଏହି ସ୍ପାଏୱେର ଟାର୍ଗେଟ୍ରେ ଅଛନ୍ତି ବୋଲି ଅଭିଯୋଗ ହେବାପରେ ଉକ୍ତ ମାମଲାର ତଦନ୍ତ ପାଇଁ ବିରୋଧୀ ନେତାମାନେ ଦାବି କରିଆସୁଛନ୍ତି। ତେବେ ବିରୋଧୀ ନେତାମାନଙ୍କ ସହ ସ୍ବର ମିଶାଇଥିଲେ ନୀତୀଶ ।
ସେ କହିଛନ୍ତି, ଲୋକମାନଙ୍କୁ ହଇରାଣ କରିବାପାଇଁ ଏଭଳି କାମ କରିବା ଅନୁଚିତ୍। ସମ୍ପୂର୍ଣ୍ଣ ଘଟଣା କ’ଣ ତାହା ସର୍ବସମ୍ମୁଖକୁ ଆସିବା ଉଚିତ୍। ଅନେକ ଦିନ ଧରି ଆମେମାନେ ଟେଲିଫୋନ୍ ଟ୍ୟାପିଂ ବିଷୟରେ ଶୁଣୁଛେ। ତେଣୁ ଏହି ବିଷୟବସ୍ତୁକୁ ନେଇ ଏତେ ଚର୍ଚ୍ଚା ହେଉଥିବା କାରଣରୁ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେବା ଉଚିତ୍ ବୋଲି ସେ କହିଛନ୍ତି। ତେବେ ଏନ୍ଡିଏର ପ୍ରଥମ ସହଯୋଗୀ ଭାବେ ନୀତୀଶଙ୍କର ଏଭଳି ମନ୍ତବ୍ୟ ଏକ ଆଲୋଚ୍ୟର ବିଷୟ ହୋଇଛି।
ଆଉ ନୀତୀଶ କୁମାରଙ୍କ ବିବୃତ୍ତି ଉପରେ ଶିବସେନା ନେତା ସଞ୍ଜୟ ରାଓତ ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି, ‘ମୁଁ ନୀତୀଶ କୁମାରଙ୍କ ନିକଟରେ କୃତଜ୍ଞ। ସେ ସର୍ବଦା ଜଣେ ଆଦର୍ଶ ନେତା ହୋଇଥିବାବେଳେ ଆଜି ସେ ସରକାରଙ୍କ ସହ ଅଛନ୍ତି, କିନ୍ତୁ ତାଙ୍କ ଆତ୍ମା ଆମ ସହିତ ଅଛି । ଯଦି ନୀତୀଶ କୁମାର କହୁଛନ୍ତି ଯେ ‘ପେଗାସସ୍’ ଫୋନ୍ ଟ୍ୟାପିଂ ମାମଲାର ଅନୁସନ୍ଧାନ କରାଯାଉ, ତେବେ ବିରୋଧୀ ଯାହା କହୁଛନ୍ତି ତାହା ସେ କହିଛନ୍ତି। ଅନ୍ତତଃ ପକ୍ଷେ ବର୍ତ୍ତମାନ ମୋଦୀ ଜୀ ଶୁଣିବା ଉଚିତ୍।
କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ ରାଜ୍ୟ ସ୍ତରରୁ ଜନଗଣନା କରିବା ଆମର ବିକଳ୍ପ ସର୍ବଦା ଖୋଲା ରହିବ। ଲୋକମାନେ କେବଳ ଏଥିରୁ ଉପକୃତ ହେବେ ନାହିଁ, ଶାସନ ମଧ୍ୟ ସୁଗମ ହେବ। ସେ କହିଛନ୍ତି ଜାତି ଜନଗଣନା ଥରେ କରାଯିବା ଉଚିତ । ଏହା ସମସ୍ତଙ୍କ ହିତରେ। 1990 ମସିହାରୁ ଏହି ଧାରଣା ଆମ ମନରେ ଅଛି ବୋଲି ନିତୀଶ କୁମାର କହିଛନ୍ତି।