କେନ୍ଦ୍ର ସରକାରଙ୍କୁ ଝଟକା : ପେଗାସସ୍‌ ମାମଲାର ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠନ କରିବେ ସର୍ବୋଚ୍ଚ ନ୍ୟାୟାଳୟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : କଥିତ ପେଗାସସ  ଜାସୁସି ମାମଲାରେ କେନ୍ଦ୍ର ସରକାରଙ୍କୁ ଶକ୍ତ ଝଟକା। ମାମଲାର ତଦନ୍ତ କରିବ ଏକ ବିଶେଷଜ୍ଞ କମିଟି । ଆଜି ସର୍ବୋଚ୍ଚ ନ୍ୟାୟାଳୟ ଏପରି କହିଛନ୍ତି । ଦେଶର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଉପରେ ପେଗାସସ୍‌ ସ୍ପାଇୱେୟାର ଜରିଆରେ କଥିତ ଜାସୁସି କରାଯାଇଥିବା  ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏଥିପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ସିଜେଆଇ ଏନଭି ରମନ୍ନା କହିଛନ୍ତି। କେନ୍ଦ୍ର ସରକାର ନ୍ୟାସନାଲ ସିକ୍ୟୁରିଟିର ଆଳ ଦେଖାଇ ସତ୍ୟପାଠ ଦାଖଲ କରିବାକୁ ମନା କରିବା କାରଣରୁ ସୁପ୍ରିମକୋର୍ଟ ବିଶେଷଜ୍ଞ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସପ୍ତାହରେ ବିଶେଷଜ୍ଞ କମିଟି ସମ୍ପର୍କିତ ନିର୍ଦ୍ଦେଶନାମା ପ୍ରକାଶ ପାଇବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନ୍ନା ଆଜି କହିଛନ୍ତି । ତେବେ ଚଳିତ ସପ୍ତାହରେ ଏ ସମ୍ପର୍କରେ ନିର୍ଦ୍ଦେଶନାମା ଆସିବାର ସମ୍ଭାବନା ଥିଲା। କିନ୍ତୁ କମିଟିରେ ରହିବାକୁ ଥିବା ସଦସ୍ୟଙ୍କ ସହ ଯୋଗାଯୋଗରେ ବିଳମ୍ବ ହେଉଥିବା କାରଣରୁ ଆଗାମୀ ସପ୍ତାହରେ ଏ ସମ୍ପର୍କରେ ନିର୍ଦ୍ଦେଶନାମା ପ୍ରକାଶ ପାଇବ ବୋଲି ପ୍ରଧାନ ବିଚାରପତି କହିଛନ୍ତି । 

ଶୁଣାଣି ସମୟରେ ସିଜେଆଇ ରମନ୍ନା କହିଛନ୍ତି ଯେ , “ଆମେ ଆସନ୍ତା ସପ୍ତାହ ସୁଦ୍ଧା ତଦନ୍ତ ପାଇଁ ଗଠନ ହେବାକୁ ଥିବା ବିଶେଷଜ୍ଞ କମିଟି ସଦସ୍ୟଙ୍କ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ। ଏହାପରେ ବିସ୍ତୃତ ରାୟ ପ୍ରକାଶ ପାଇବ।” 

କେନ୍ଦ୍ର ପୂର୍ବରୁ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ସତ୍ୟପାଠ ଦାଖଲ କରିବାକୁ ମନା କରି ଦେଇଥିଲେ। ଶେଷରେ କେନ୍ଦ୍ର ସତ୍ୟପାଠ ଦାଖଲ ନକରିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ଏବଂ ଆଜି ଶୁଣାଣି କରି କହିଛନ୍ତି ଯେ, ଏହି ମାମଲାର ତଦନ୍ତ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ। 

ତେବେ ଏଠାରେ ସୂଚନାଯୋଗ୍ୟ ଯେ , ଇସ୍ରାଏଲ କମ୍ପାନୀ ଏନଏସ୍ଓ ଦ୍ବାରା ପ୍ରସ୍ତୁତ ପେଗାସସ୍ ସ୍ପାଇୱେୟାର ଉପରେ ବିଶ୍ୱର ୧୭ଟି ମିଡିଆ ସଂସ୍ଥା ଏକ ଅନୁସନ୍ଧାନ କରି ରିପୋର୍ଟ ପ୍ରକାଶ କରିଥିଲେ। ରିପୋର୍ଟ ଅନୁଯାୟୀ, ପେଗାସସର ହ୍ୟାକିଂ ଟାର୍ଗେଟରେ ଭାରତର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଏ ସ୍ପାଇୱୟାର ଜରିଆରେ ନଜର ରଖାଯାଉଥିଲା। ତେବେ ଏହି କଥିତ ଜାସୁସିର ଶୀକାର ହୋଇଥିବା ଭାରତୀୟଙ୍କ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳର ବହୁ ବଡ ବଡ ନେତା, ସାମ୍ବାଦିକ, ଶିଳ୍ପପତି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏମିତିକି କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି କଥିତ ଜାସୁସିର ଶୀକାର ହୋଇଥିଲେ। ସଂସଦର ମୌସୁମୀ ଅଧିବେଶନର ପୂର୍ବରୁ ପେଗାସସ୍ ରିପୋର୍ଟ ସାମ୍ନାକୁ ଆସିଥିଲା। ଏହାକୁ ନେଇ ସଂସଦର ଉଭୟ ଗୃହରେ ଜୋରଦାର ହଙ୍ଗାମା ହୋଇଥିଲା। ବିରୋଧୀ ଏକ ପ୍ରକାର ଗୃହକାର୍ଯ୍ୟ ଅଚଳ କରି ଦେଇଥିଲେ।  ବିରୋଧୀ ଘଟଣାର ତଦନ୍ତ ଦାବି କରିବା ସହ ସଂସଦରେ ପୂରା ଘଟଣା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। କିନ୍ତୁ ସରକାର ଏଥିରୁ ଏଡ଼ାଇ ଯିବା ପାଇଁ ଯଥା ସମ୍ଭବ ଉଦ୍ୟମ କରିଥିଲେ। 

Related Posts