ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଲାଭଜନକ ପଦବି ମାମଲାରେ ରାଜ୍ୟପାଳ ରମେଶ ବୈଶ ଦୀର୍ଘଦିନ ପରେ ମୁହଁ ଖୋଲିଛନ୍ତି। କିଛିଦିନ ପାଇଁ ଥମି ଯାଇଥିବା ଏହି ପ୍ରସଙ୍ଗରେ ରାଜ୍ୟପାଳ ଟିପ୍ପଣୀ ଦେବାପରେ ପୁଣି ରାଜ୍ୟର ରାଜନୀତି ସରଗରମ ହୋଇଛି। ରାୟପୁରରେ ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେଇ ରାଜ୍ୟପାଳ ବୈଶ କହିଛନ୍ତି, ନିର୍ବାଚନ କମିସନଙ୍କଠାରୁ ଏହି ପ୍ରସଙ୍ଗରେ ସେ ଦ୍ବିତୀୟ ଥର ମତ ମାଗିଛନ୍ତି। ନିର୍ବାଚନ କମିସନଙ୍କ ମତ ମିଳିବା ପରେ ସାମ୍ବିଧାନିକ ଅଧିକାର ମଧ୍ୟରେ କି ପ୍ରକାର ପଦକ୍ଷେପ ନିଆଯାଇ ପାରିବ ସେ ନେଇ ଚିନ୍ତା କରିବେ। ଦିଲ୍ଲୀରେ ବାଣ ନିଷିଦ୍ଧ ହୋଇଛି, ଝାଡ଼ଖଣ୍ଡରେ ନୁହେଁ। ତେଣୁ ଏନେଇ ନିର୍ବାଚନ କମିସନଙ୍କ ମତ ଆସିବା ପରେ ଝାଡ଼ଖଣ୍ଡରେ ଆଣବିକ ବୋମା ବିସ୍ଫୋରଣ ହୋଇପାରେ ବୋଲି ସେ କହିଛନ୍ତି।
ଏଠାରେ ସୁୁଚନାଯୋଗ୍ୟ ଯେ, ହେମନ୍ତ ସୋରେନ ତାଙ୍କ ନାମରେ ଏକ ପଥର ଖାଦାନ ଲିଜ୍ ନେଇଥିଲେ। ଏ ପ୍ରସଙ୍ଗରେ ବିଜେପି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଥିଲା। ଏହା ଲାଭଜନକ ପଦବି ନିୟମ ଏବଂ ଲୋକ ପ୍ରତିନିଧି ଆଇନର ଉଲ୍ଲଂଘନ କରୁଛି ବୋଲି ବିଜେପି କହିଥିଲା। ଏଥିସହିତ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିବା ପାଇଁ ଦାବି କରିଥିଲା। ଏହା ପରେ ରାଜ୍ୟପାଳ ଉକ୍ତ ପ୍ରସଙ୍ଗରେ ନିର୍ବାଚନ କମିସନଙ୍କ ମତ ଲୋଡ଼ିଥିଲେ। ସବୁ ଦଳର ମତାମତ ଶୁଣିବା ପରେ ନିର୍ବାଚନ କମିସନ ତାଙ୍କର ନିଷ୍ପତ୍ତି ରାଜ୍ୟପାଳଙ୍କ ନିକଟକୁ ଗତ ଅଗଷ୍ଟ ୨୫ରେ ପଠାଇଥିଲେ। ତେବେ ରାଜ୍ୟପାଳ ବର୍ତ୍ତମାନ ସୁଦ୍ଧା ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଏବେ ରାଜ୍ୟପାଳ ଦ୍ବିତୀୟ ଥର ପାଇଁ ନିର୍ବାଚନ କମିସନଙ୍କ ମତାମତ ଲୋଡ଼ିଛନ୍ତି। ସାମ୍ବିଧାନିକ ପଦରେ ଥିବାରୁ ନିୟମକୁ ସେ ଅନୁସରଣ କରୁଛନ୍ତି। ପ୍ରତିଶୋଧ ପରାୟଣ ହୋଇ ମୁଁ କିଛି ନିଷ୍ପତ୍ତି ନେଇଛି ବୋଲି ଯେଭଳି କେହି ଅଭିଯୋଗ ନକରିବେ ତାହା ମୁଁ ଚାହେ। ଯଦି ସରକାରଙ୍କୁ ଅସ୍ଥିର କରିବା ମୋର ଲକ୍ଷ୍ୟ ହୋଇଥାନ୍ତା ତାହେଲେ ନିର୍ବାଚନ କମିସନଙ୍କ ସୁପାରିସ ଆସିବା ପରେ ମୁଁ ନିଷ୍ପତ୍ତି ନେଇପାରିଥାନ୍ତି ବୋଲି ରାଜ୍ୟପାଳ କହିଛନ୍ତି।
