ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୪୪ ଡିଗ୍ରୀ ଅତିକ୍ରମ କଲା ଝାରସୁଗୁଡ଼ା ସହର । ଉତ୍ତରପ୍ରଦେଶର ବାନ୍ଦା ପ୍ରଥମ ଝାରସୁଗୁଡ଼ା ଦେଶର ଦ୍ୱିତୀୟ ଉତ୍ତପ୍ତ ସହର । ତେବେ ଝାରସୁଗୁଡ଼ାରେ ୪୫.୩ ଡିଗ୍ରୀ ତାତି ଅନୁଭୂତ ହୋଇଥିବାବେଳେ ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଥିଲା। ସେହିପରି ୪୫.୬ ଡିଗ୍ରୀ ସହ ଉତ୍ତରପ୍ରଦେଶର ବାନ୍ଦା ଦେଶର ପ୍ରଥମ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା। ସେପଟେ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ବୁଧବାରଠାରୁ ପାଗ ବଦଳିବ। ବୁଧବାରଠାରୁ ମେ’ ୪ ପର୍ଯ୍ୟନ୍ତ ୬ଦିନ ଧରି ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ପ୍ରଭାବ ରହିବ। ଏହି ସମୟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପବନ ହେବ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି ହୋଇଛି। ସେହିପରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାକୁ ବର୍ଷା ପବନ ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି।