୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଖୋର୍ଦ୍ଧା ଏସିଏସ୍‌ଓ ବିଷ୍ଣୁଚରଣ ପରିଡ଼ା

ଭୁବନେଶ୍ବର: ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଖୋର୍ଦ୍ଧା ଏସିଏସ୍‌ଓ ବିଷ୍ଣୁଚରଣ ପରିଡ଼ା। ରାଇସମିଲ ପରିଚାଳନା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଇଥିଲେ । ଏନେଇ ସେ ଧରା ପଡ଼ିବା ପରେ ତାଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଛି। ଭିଜିଲାନ୍ସ ଏସପି ଏମ୍ ରାଧାକ୍ରିଷ୍ଣନ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଗତକାଲି ଖୋର୍ଦ୍ଧା ଏସିଏସଓ ବିଷ୍ଣୁ ଚରଣ ପରିଡ଼ାଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଜିରୋ ବାଲାଂଶ ପ୍ରମାଣପତ୍ର ଦେବା ନାରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଥିଲା। ଏବେ ତାଙ୍କ ସରକାରୀ ଘର ସହ ଅନ୍ୟାନ୍ୟ ଜାଗାରେ ସର୍ଚ୍ଚ କରାଯାଉଛି । ଏବେ ପର୍ଯ୍ୟନ୍ତ ତାଙ୍କ ପାଖରୁ ୭ ଲକ୍ଷ ୪୮ ହଜାର ଟଙ୍କା , ୨୫୦ ଗ୍ରାମ ସୁନା ଆଉ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି । ତାଙ୍କର ସବୁ ବ୍ୟାଙ୍କ ଆକାଉଣ୍ଟକୁ ସର୍ଚ୍ଚ କରାଯାଉଛି ବୋଲି ଭିଜିଲାନ୍ସ ଏସପି ଏମ୍ ରାଧାକ୍ରିଷ୍ଣନ କହିଛନ୍ତି। ଏବେ ତଦନ୍ତ ଚାଲୁଛି ଆଗକୁ ଆହୁରି ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।

ସୂଚନା ଅନୁସାରେ ଖୋର୍ଦ୍ଧା ଏସିଏସ୍‌ଓ ବିଷ୍ଣୁଚରଣ ପରିଡ଼ା ଏକ ରାଇସମିଲ ପରିଚାଳନା କରିବା ପାଇଁ ୫୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଏନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଯୋଜନା ଅନୁସାରେ ଭିଜିଲାନ୍ସ ବିଭାଗ ଅଭିଯୋଗକାରୀଙ୍କୁ ରଂଗବୋଳା ଟଙ୍କା ଦେଇଥିଲା ଏବଂ ଏହାକୁ ଶ୍ରୀ ପରିଡ଼ା ଗ୍ରହଣ କରିଥିଲେ। ତେବେ ଟଙ୍କା ଗ୍ରହଣ କରିବାର ଅଳ୍ପ ସମୟ ମଧ୍ୟରେ ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଅତର୍କିତ ଭାବେ ଚଢ଼ଉ କରିଥିଲା। ଘଟଣା ସମୟରେ ଶ୍ରୀ ପରିଡ଼ାଙ୍କ ଠାରୁ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ରଂଗବୋଳା ଟଙ୍କା ଜବତ କରିଥିଲେ।

Related Posts