ମଦମୁକ୍ତ ହେବ ଅନୁଗୁଳ ତୁବେ ପଞ୍ଚାୟତ: ମଦ ପିଇଲେ ୧୦ ହଜାର ଜରିମାନା, ରାସନ୍‌କାର୍ଡରୁ ବାଦ୍‌

ବଡ଼କେରା: ମଦ ମୁକ୍ତ ହେବ ପଂଚାୟତ । ଏନେଇ ପଞ୍ଚାୟତର ମହିଳା ମାନେ ଏକ କଠୋର ନିଷ୍ପତି ନେଇଛନ୍ତି । ଅନୁଗୁଳ ଜିଲ୍ଳାର ଏକ ପଞ୍ଚାୟତରୁ ମଦକୁ ସମ୍ପୂର୍ଣ୍ଣ ବର୍ଜନ କରିବା ପାଇଁ ପଞ୍ଚାୟତବାସୀ ବଜ୍ର ଶପଥ ନେଇଛନ୍ତି। ମଦ ବିକ୍ରି କଲେ କିମ୍ବା ମଦ୍ୟପାନ କରି ଧରା ପଡ଼ିଲେ ପଂଚାୟତବାସୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ। ଗାଁରେ ମଦ ବିକ୍ରି କଲେ କିମ୍ବା ମଦ୍ୟପାନ କରି ଧରା ପଡ଼ିଲେ ୧୦ ହଜାର ଟଙ୍କା ଜରିମାନା, ରାସନ୍‌କାର୍ଡରୁ ବାଦ ପଡ଼ିବେ। ପୁଲିସରେ ମାମଲା ରୁଜୁ ହେଲା ପରେ ଯଦି ନ ସୁଧୁରିଲା ତାହେଲେ ଗାଁରୁ ବାସନ୍ଦ କରାଯିବ ବୋଲି ପଞ୍ଚାୟତର ମହିଳାମାନେ ସଙ୍ଗଠିତ ହୋଇ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ନିଆରା ନିଷ୍ପତ୍ତି ନେଇଛନ୍ତି ବଅଁରପାଳ ବ୍ଲକ ତୁବେ ପଞ୍ଚାୟତର ମହିଳାମାନେ। ସରପଞ୍ଚ ଅନିଲ ପ୍ରଧାନଙ୍କ ନେତୃତ୍ଵରେ ଏକ ହଜାରରୁ ଊର୍ଦ୍ଧ୍ବ ମହିଳାଙ୍କୁ ନେଇ ମଦ ବିରୋଧୀ ରାଲି ଓ ବୈଠକ ଅନୁଷ୍ଠିତ ହୋଯାଇଅଛି।

ସୂଚନା ଅନୁଯାୟୀ ତୁବେ ପଞ୍ଚାୟତରୁ ମଦ ବିକ୍ରି ଓ ମଦ୍ୟପାନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ମହିଳାମାନେ ଅଣ୍ଟା ଭିଡିଛନ୍ତି। ଆଜି ପଞ୍ଚାୟତର ୧୫୦ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି, ସମ୍ପାଦିକା, ସିଆରପି, ଏମବିକେ, ଆଶା, ଅଙ୍ଗନୱାଡ଼ି କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏକତ୍ରିତ ହୋଇ ପଞ୍ଚାୟତ କାର୍ଯ୍ୟାଳୟରୁ ପ୍ରତି ଗାଁକୁ ପାଦରେ ଚାଲିଚାଲି ମଦ ବିରୋଧରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ଲୋଗାନ ଓ ନାରାବାଜି ଦେଇଥିଲେ। ମଦର ଧ୍ବଂସକାରୀ ରୂପ ଓ ପାରିବାରିକ ଅଶାନ୍ତି, ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ପଞ୍ଚାୟତର ମହିଳାମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି।

Related Posts