ଓଡ଼ିଶାର ଆଉ ୬ ସହରରେ ଆରମ୍ଭ ହେଲା ଜିଓ ୫-ଜି ସେବା

ଭୁବନେଶ୍ୱର,୨୪/୧(ସତ୍ୟପାଠ ବ୍ୟୁରୋ): ଆଜିଠୁ ଦେଶର ଆଉ ୫୦ ସହରରେ ଜିଓ ଟ୍ରୁ ୫-ଜି ସେବା ଆରମ୍ଭ ହୋଇଛି । ଏ ନେଇ ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି । ଏହି ୫୦ ସହର ମଧ୍ୟରେ ରହିଛି ଓଡ଼ିଶାର ୬ଟି ସହର । ଏହାକୁ ମିଶାଇ ଦେଶର ୧୮୪ ସହରରେ ଜିଓ ୟୁଜର୍ସମାନେ ୫-ଜି ସେବା ପାଇ ପାରିବେ ।

ଓଡ଼ିଶାରେ ପୂର୍ବରୁ ଭୁବନେଶ୍ୱର, କଟକ, ରାଉରକେଲା ଏବଂ ବ୍ରହ୍ମପୁରରେ ଏହି ୫-ଜି ସେବା ଉପଲବ୍ଧ ଥିଲା ।ଏବେ ଏହି ତାଲିକାରେ ଆଉ ୬ଟି ସହର ସାମିଲ ହୋଇଛି । ସେଗୁଡିକ ହେଲା ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡା, ପୁରୀ ଏବଂ ସମ୍ବଲପୁର । ଏହି ସବୁ ସହରର ଜୁଓ ୟୁଜର୍ସମାନେ ଜିଓ ୱେଲକମ ଅଫର ଦ୍ୱାରା ଅନଲିମିଟେଡ ଡାଟା ୧ ଜିବିଏସ ପ୍ଲସ ସ୍ପିଡ ସୁବିଧା ପାଇପାରିବେ । ଏଥିପାଇଁ ଉପଭୋକ୍ତାଙ୍କୁ ଅଧିକ ଦେୟ ଦେବାକୁ ପଡିବ ନାହିଁ ବୋଲି ରିଲାଏନ୍ସ ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ କୁହାଯାଇଛି ।

ଜିଓ ମୁଖପାତ୍ରଙ୍କ କହିବା ଅନୁଯାୟୀ, ଆହୁରି ୫୦ଟି ସହରରେ ଆମେ ଜିଓ ୫-ଜି ସେବା ଯେଗାଇବାରେ ସଫଳ ହୋଇଛୁ । ସମଗ୍ର ଦେଶରେ ଜିଓ ଉପଭୋକ୍ତାମାନେ ୨୦୨୩ ଡିସେମ୍ବର ସୁଦ୍ଧା ଏହି ସେବା ପାଇପାରିବେ । ଖାଲି ଦେଶ ନୁହେଁ, ପୃଥିବୀର ସବୁ କୋଣରେ ଆମେ ଏହି ସୁବିଧା ଯୋଗାଇ ଦେବା ପାଇଁ ସମର୍ଥ ହୋଇଛୁ ।

Related Posts