ଭୁବନେଶ୍ୱରରେ ‘ରୋଜଗାର ମେଳା’; ୨୩୯ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ର ସରକାରଙ୍କ ନିଯୁକ୍ତି ମିଶନର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ରେଳ ଅଡିଟୋରିୟମରେ ରୋଜଗାର ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୩୯ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।

ଏଥିରେ ଡାକ ବିଭାଗର ସର୍ବାଧିକ ୮୯, ଭବନେଶ୍ଵର ଆଇଆଇଟିରେ ୫୫, ଇଏସଆଇସିରେ ୨୭, ଏସଏଲବିସିରୁ ୨୧ ଜଣ ଏମିତି ମୋଟ ଏଗାରଟି ବିଭାଗର ମୋଟ ୨୩୯ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଚଳିତ ବର୍ଷ ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ‘ରୋଜଗାର ମିସନ’ ସର୍ବ ଭାରତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ପ୍ରାରମ୍ଭ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଭୁବନେଶ୍ବର ଓ କଟକରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜିତ ହୋଇ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି। କଟକରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ନିଯୁକ୍ତି ମିସନରେ ଦେଶବ୍ୟାପୀ ଦଶ ଲକ୍ଷ ନୂତନ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ରୋଜଗାର ମେଳାରେ ୭୫ ହଜାର ଯୁବ ବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

Related Posts