
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁରୀ ଜିଲ୍ଲା ନିମାପଡାର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ଓ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପୁଲିସ୍ ଭୂମିକା ସନ୍ଦେହ ଘେରରେ ଥିବା ଅଭିଯୋଗ ଆଣିଛି ବିଜେପି। ଉଭୟ ଘଟଣାରେ ଉଚିତ୍ ନ୍ୟାୟ ପ୍ରଦାନ ଦାବିରେ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି ଦଳ । ବିଜେପିର ଶତାଧିକ ନେତା ଓ କର୍ମୀ ଆଜିଠୁ ପୁଲିସ କମିଶନରଙ୍କ ଅଫିସ ସାମ୍ନାରେ ଅହୋରାତ୍ର ଧାରଣାରେ ବସିଛନ୍ତି। ଆଜି ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇଥିବା ଏହି ଅହୋରାତ୍ର ଧାରଣା ଆସନ୍ତାକାଲି ସକାଳ ୧୦ଟା ଯାଏଁ ଚାଲିବ ।
ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ତଦନ୍ତ କରିବାକୁ ଦାବି ବିଜେପି । କେବଳ ଅର୍ଚ୍ଚନା ମାମଲା ନୁହେଁ , ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ବି ସମୀର ଦାଶଙ୍କୁ ଜେରା ପାଇଁ ଦାବି କରିଛି ବିଜେପି । ଏହି ଦୁଇଟି ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ୪୮ ଘଣ୍ଟା ଭିତରେ ତଦନ୍ତ ନ ହେଲେ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛି ବିଜେପି। ଆଜିର ଏହି ଧାରଣାରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବରିଷ୍ଠ ନେତ୍ରୀ ପ୍ରଭାତୀ ପରିଡ଼ା ଙ୍କ ସମେତ ଅନେକ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଛନ୍ତି ।