କଟକରେ ‘ରୋଜଗାର ମେଳା’; ୧୦୫ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ଵର ଟୁଡୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ କେନ୍ଦ୍ର ସରକାରଙ୍କ ନିଯୁକ୍ତି ମିଶନ ଅଧୀନରେ ଦେଶବ୍ୟାପୀ ଆରମ୍ଭ ହୋଇଛି ‘ରୋଜଗାର ମେଳା’ । ଏହି ଯୋଜନାରେ ଦେଶରେ ୧୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ରୋଜଗାର। ଆଜି ପ୍ରଥମ ପର୍ଯ୍ୟାୟ ରୋଜଗାର ମେଳାରେ ଦେଶବ୍ୟାପୀ ୭୫ ହଜାର ଯୁବକଯୁବତୀଙ୍କୁ ପ୍ରଦାନ କରାଯାଇଛି ନିଯୁକ୍ତି ପତ୍ର। ସେହି କ୍ରମରେ କଟକ ଶହୀଦ ଭବନରେ ଆୟୋଜିତ ରୋଜଗାର ମେଳାରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ଵର ଟୁଡୁ ଯୋଗ ଦେଇ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଜି କଟକରେ ୧୦୫ଜଣଙ୍କୁ ଏହି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ଵର ଟୁଡୁଙ୍କ ସହ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ଓ ଖୋର୍ଦ୍ଧା ରେଳବାଇ ଡିଭିଜନର ଡିଆରଏମ ଉପସ୍ଥିତ ଥିଲେ। ବିଶେଷ କରି ୯୮ ଜଣଙ୍କୁ ରେଳ ବିଭାଗରେ ନିଯୁକ୍ତି ମିଳିଛି। ଆଗକୁ ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ଵର ଟୁଡୁ କହିଛନ୍ତି।ନିଯୁକ୍ତି ପାଇଥିବା ଯୁବକଯୁବତୀ ନିଯୁକ୍ତି ପତ୍ର ପାଇବା ପରେ ବେଶ ଖୁସି ପ୍ରକାଶ କରିଛନ୍ତି। ସେହିଭଳି ଭୁବନେଶ୍ବରରେ ରେଳ ଅଡିଟୋରିୟମରେ ଆୟୋଜିତ ନିଯୁକ୍ତି ମେଳାରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ୨୩୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।

Related Posts