ରୋଜଗାର ମେଳା; ଆଜି ଦ୍ଵିତୀୟ ପର୍ଯ୍ୟାୟରେ ୭୧ ହଜାର ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରୋଜଗାର ମେଳାର ଦ୍ଵିତୀୟ ପର୍ଯ୍ୟାୟରେ ଆଜି ୭୧ ହଜାର ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସି ଜରିଆରେ ଦେଶର ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି । ଦେଶର ୪୫ଟି ସ୍ଥାନରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ସିଧାସଳଖ ହସ୍ତାନ୍ତର ମଧ୍ୟ କରାଯାଇଛି । ଗୁଜରାଟ ଓ ହିମାଚଳପ୍ରଦେଶରେ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହି ଦୁଇଟି ରାଜ୍ୟକୁ ନିଯୁକ୍ତି ପତ୍ର ବଣ୍ଟନ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ୍ ଲଞ୍ଚ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ‘ରୋଜଗାର ମେଳା’ ସ୍କିମ ଅଧୀନରେ ପ୍ରଧାନମନ୍ତ୍ରୀ ଦେଶର ଯୁବପିଢିଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଏହି ଯୋଜନା ଜରିଆରେ ଦେଶରେ ଆହୁରି ଅନେକ ରୋଜଗାର ପନ୍ଥା ଖୋଲିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଯୋଜନା ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ମାସରେ ୭୫ହଜାର ଆଶାୟୀ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା । ଆସନ୍ତାବର୍ଷ ଭିତରେ ଏହି ଯୋଜନା ଅନ୍ତର୍ଗତ ୧୦ଲକ୍ଷ ନିଯୁକ୍ତି ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ବିଭିନ୍ନ ବିଭାଗ ଓ ମନ୍ତ୍ରାଳୟଗୁଡିକୁ ଜୁନ୍ ମାସରେ ନିର୍ଦ୍ଦେଶ ଦେଇଥିଲେ ।

Related Posts