ନୂଆଦିଲ୍ଲୀ : ଦେଶକୁ ମିଳିଛି ନୂଆ ରାଷ୍ଟ୍ରପତି । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ବିରୋଧୀ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି । ଦ୍ରୌପଦୀଙ୍କୁ ୪୮୦୯ରୁ ୨୮୨୪ ଭୋଟ୍ ମିଳିଥିବା ବେଳେ ଯଶଓ୍ୱନ୍ତଙ୍କୁ ୧୮୭୭ ଭୋଟ୍ ମିଳିଥିଲା । ସବୁଠାରୁ ଖାସ୍ କଥା ଏହେ ଯେ, ଦ୍ରୌପଦୀଙ୍କୁ ଏନଡିଏ ସହ ଅନ୍ୟ ଦଳର ସମର୍ଥନ ମଧ୍ୟ ମିଳିଥିଲା । କିଛି ବିରୋଧୀ ସାଂସଦ ଓ ବିଧାୟକ ମଧ୍ୟ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ ।
ତେବେ ସବୁଠୁ ବଡ ଝଟକା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଥିବା କୁହାଯାଉଛି ।କାରଣ ୨୦୨୪ ଲୋକସଭା ନିର୍ବାଚନରେ ମମତା ବିଜେପିକୁ କାଉଣ୍ଟର ଦେବାକୁ ଗୋଟିଚାଳନା କରୁଛନ୍ତି । ସେ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀଙ୍କୁ ଜିତାଇବାକୁ ଲାଗିପଡିଥିଲେ । ବିରୋଧୀ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନା ଟିଏମସିର ନେତା ଥିଲେ । ପରେ ସେ ଦଳରୁ ଇସ୍ତଫା ଦେଇ ରାଷ୍ଟ୍ରପତି ନିର୍ବାଚନ ଲଢିଥିଲେ ।
ଏବେ ବିଜେପି ଦାବି କରୁଛି ଯେ, ମମତା ବାନାର୍ଜୀଙ୍କ ଦଳର ଅନେକ ନେତା କ୍ରସ୍ ଭୋଟିଂ କରିଛନ୍ତି । ବିଜେପି ନେତା ଅମିତ ମାଲବୀୟ କହିଛନ୍ତି ଯେ, ଟିଏମସିର ଦୁଇଜଣ ସାଂସଦ ଓ ଜଣେ ବିଧାୟକ ଦ୍ରୌପଦୀଙ୍କୁ ଭୋଟ୍ ଦେଇଛନ୍ତି । ଏହାସହ ୨ ସାଂସଦ ଓ ୪ ବିଧାୟକଙ୍କ ଭୋଟ୍ ରବ୍ଦ ହୋଇଛି । ବିରୋଧୀଙ୍କ ଏକତାକୁ ନେଇ ଫୁଟାଣି ମାରୁଥିବା ମମତା ନିଜ ନେତାଙ୍କୁ ନିୟନ୍ତ୍ରଣରେ ରଖିପାରୁନଥିବା ଅମିତ କହିଛନ୍ତି ।
ସୂଚନାଯୋଗ୍ୟ, ଦ୍ରୌପଦୀ ମୁର୍ମୁଙ୍କୁ ଉତ୍ତର ପ୍ରଦେଶରୁ ସବୁଠୁ ଅଧିକ ଭୋଟ୍ ମିଳିଛି । ସେହିପରି ଯଶଓ୍ୱନ୍ତ ସିହ୍ନାଙ୍କୁ ପଶ୍ଚିମବଙ୍ଗରୁ ସବୁଠୁ ବେଶି ଭୋଟ୍ ମିଳିଛି । ଏହାସହ ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ, ସିକ୍କିମର ସବୁ ଭୋଟ୍ ଦ୍ରୌପଦୀଙ୍କୁ ମିଳିଥିବା ବେଳେ କେରଳର କେବଳ ଜଣେ ବିଧାୟକ ଦ୍ରୌପଦୀଙ୍କୁ ଭୋଟ୍ ଦେଇଛନ୍ତି ।
