ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ଦିଲ୍ଲୀ ଠାରୁ ହରିୟାଣା, ବଙ୍ଗଳା, ତେଲେଙ୍ଗାନା ସମେତ ଅନେକ ରାଜ୍ୟରେ ଏହି ଯୋଜନା ବିରୋଧରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥି ସହିତ, ଏହି ଯୋଜନାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ଯେପରି କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡିଥିଲା, ସେହିପରି ଅଗ୍ନିପଥ ଯୋଜନାକୁ ମଧ୍ୟ ପ୍ରତ୍ୟାହାର କରିବାକୁ ପଡ଼ିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ସେପଟେ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ଟୁଇଟ୍ କରି କହିଛନ୍ତି, ଲଗାତାର ୮ ବର୍ଷ ଧରି ବିଜେପି ସରକାର ‘ଜୟ ଯବାନ, ଜୟ କିସାନ’ର ମୂଲ୍ୟବୋଧକୁ ଅପମାନିତ କରିବାରେ ଲାଗିଛନ୍ତି ।
ମୁଁ ଏହା ମଧ୍ୟ କହିଥିଲି ଯେ ପ୍ରଧାନମନ୍ତ୍ରୀଙ୍କୁ କଳା କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡିବ। ଠିକ୍ ସେହିପରି ଭାବରେ ତାଙ୍କୁ ମାଫିବୀର ହୋଇ ଦେଶର ଯୁବପୀଢ଼ିଙ୍କ କଥା ମାନିବାକୁ ପଡ଼ିବ ଏବଂ ‘ଅଗ୍ନିପଥ’କୁ ଫେରାଇ ଆଣିବାକୁ ପଡ଼ିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଅନ୍ୟପଟେ ଏହି ଟୁଇଟ୍ ମାଧ୍ୟମରେ ରାହୁଲ ଅଭିଯୋଗ କରିଛନ୍ତି ଯେ ସରକାର ସୈନିକ ଏବଂ ଚାଷୀଙ୍କୁ ଅପମାନିତ କରିଛନ୍ତି। ଆସନ୍ତାକାଲି ଦଳ ଅଗ୍ନିପଥ ଯୋଜନା ବିରୋଧରେ ଦିଲ୍ଲୀର ଜନ୍ତର ମନ୍ତ୍ରରେ ବିରୋଧ କରିବ। ସର୍ବଶେଷ ସୂଚନା ଅନୁଯାୟୀ, କଂଗ୍ରେସର ଏହି ପ୍ରଦର୍ଶନ ଏକ ବୃହତ ସ୍ତରରେ ହେବ ଯେଉଁଥିରେ ବହୁ ବଡ ନେତା ଏବଂ ସାଂସଦ ଏଥିରେ ସାମିଲ ହୋଇପାରିବେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।
