ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ପ୍ରଧାନ ବିଚାରପତି ୟୁୟୁ ଲଲିତ ତାଙ୍କ ଉତ୍ତରାଧିକାରୀ ଭାବରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିଛନ୍ତି । ଆଜି ସୁପ୍ରିମକୋର୍ଟ କଲେଜିଅମ ବୈଠକ ପରେ ସେ ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୂଡଙ୍କୁ ଏନେଇ ଏକ ଚିଠି ହସ୍ତାନ୍ତର କରିଛନ୍ତି ଯେଉଁଥିରେ ତାଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି କରାଯିବ ବୋଲି ସୂଚନା ଦିଆଯାଇଛି ।ସୁପ୍ରିମକୋର୍ଟର ଅନ୍ୟ ବିଚାରପତିଙ୍କ ଉପସ୍ଥିତିରେ ଏହି ଚିଠି ତାଙ୍କୁ ହସ୍ତାନ୍ତର କରାଯାଇଛି । ଏହା ବ୍ୟତୀତ ଜଷ୍ଟିସ ୟୁୟୁ ଲଲିତ ମଧ୍ୟ ସମାନ ମାମଲାରେ ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିଛନ୍ତି । ତେବେ ଅବସର ପୂର୍ବରୁ ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିଶ କରିବାକୁ ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କୁ ଆଇନ ବିଭାଗ ପକ୍ଷରୁ କୁହାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଜଷ୍ଟିସ୍ ୟୁୟୁ ଲଲିତ ଆସନ୍ତା ନଭେମ୍ବର ୮ ରେ ପ୍ରଧାନ ବିଚାରପତି ପଦରୁ ଅବସର ନେବାକୁ ଯାଉଛନ୍ତି । ଏହାପରେ ଜଷ୍ଟିସ ଚନ୍ଦ୍ରଚୂଡ ଭାରତର ପ୍ରଧାନବିଚାରପତି ଭାବେ ଦାୟିତ୍ଵ ଗ୍ରହଣ କରିବେ।