ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ) : ୟୁପିଆଇ କାରବାର ଉପରେ ଶୁଳ୍କ ଲଗାଯିବା ନିଷ୍ପତ୍ତି ଉପରେ ତୁରନ୍ତ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR ଲାଗୁ କରିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆକୁ ନୋଟିସ ଜାରି କରିଛନ୍ତି । କୋର୍ଟ ଏହି ବ୍ୟବସ୍ଥା ଉପରେ ରହିତାଦେଶ ଦେଇନଥିବା ବେଳେ ୪ ସପ୍ତାହ ମଧ୍ୟରେ ସମସ୍ତ ପକ୍ଷଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କୌଣସି ଉପଯୁକ୍ତ ଆଲୋଚନା ବିନା ହିଁ ଏହି ନିୟମକୁ ଅଣାଯାଇଛି ଏବଂ ଏହାକୁ ଲାଗୁ କରିବା ସମୟରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ପାଳନ କରାଯାଇ ନାହିଁ। ଏହି ନିଷ୍ପତ୍ତି ଫଳରେ କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ । ଏହାସହ ଅତିରିକ୍ତ ଶୁଳ୍କରୁ ବର୍ତ୍ତିବା ପାଇଁ ଲୋକେ ପୁଣି ଥରେ ନଗଦ କାରବାର ଆଡ଼କୁ ଫେରିପାରନ୍ତି, ଯାହା ଦେଶର ଡିଜିଟାଲ ଅର୍ଥବ୍ୟବସ୍ଥା ଗଠନ ଲକ୍ଷ୍ୟ ଉପରେ କୁପ୍ରଭାବ ପକାଇବ। ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ ଯୁକ୍ତି କରିଥିଲେ ଯେ UPI ଆସିବା ପରେ ଦେଶରେ କଳାଧନ କାରବାରରେ ଯଥେଷ୍ଟ ହ୍ରାସ ଘଟିଛି, ତେଣୁ ଏଭଳି ଚାର୍ଜ ଡିଜିଟାଲ କାରବାରକୁ ନିରୁତ୍ସାହିତ କରିବ । ଏହାର ଉତ୍ତରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏନ. ଭେଙ୍କଟରମଣ କହିଛନ୍ତି ଯେ, ଏହି ବ୍ୟବସ୍ଥା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଲାଗୁ ହୋଇନାହିଁ, ଅକ୍ଟୋବର ୧୫ ଏହାର ପ୍ରଥମ ପର୍ଯ୍ୟାୟ ଅଟେ। ଏହାଛଡ଼ା ଗେଟୱେ ବ୍ୟବହାର କରୁଥିବା ପ୍ରାୟ ୯୬ ପ୍ରତିଶତ ଲୋକଙ୍କୁ ଏଥିରୁ ଛାଡ଼ ମିଳିଛି ।
