ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗୁଛି । ଏହା ମଧ୍ୟରେ ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାରେ କରୋନା ମୁକ୍ତ ହେବାରେ ଲାଗିଛି । ତେବେ କଳାହାଣ୍ଡି ଓ କେନ୍ଦୁଝର ଜିଲ୍ଲାରେ ଜଣେ ହେଲେ କରୋନା ଚିକିତ୍ସାଧିନ ରୋଗୀ ନାହାନ୍ତି । ଏହା ସହ ରାଜ୍ୟର ଆଉ ୫ ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦ ତଳକୁ ରହିଛି । ତେଣୁ ଏସବୁ ଜିଲ୍ଲାମାନଙ୍କରେ ମଧ୍ୟ ଖୁବଶୀଘ୍ର କରୋନା ମୁକ୍ତ ହେବାକୁ ଯାଉଛି ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଗତ ସପ୍ତାହରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ଜାରି ରହିଛି । ଏପରିକି ଏକାଧିକ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ଅନୁଗୁଳ, ସମ୍ବଲପୁର, ଖୋର୍ଦ୍ଧା, ଝାରସୁଗୁଡ଼ା, ଗଜପତି ଜିଲ୍ଲାକୁ ବାଦ ଦେଲେ ଅନ୍ୟ ଜିଲ୍ଲାରେ ସଂକ୍ରମତିଙ୍କ ସଂଖ୍ୟା ଶୂନ କିମ୍ବା ୧୦ ତଳେ ଦେଖିବାକୁ ମିଳିଛି । ସେପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୬ ହାଜରକୁ ବୃଦ୍ଧି ପାଇଛି । ଏହା ସହ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦୮୮କୁ ଖସି ଆସିଛି । ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ ଲକ୍ଷ ୭୫ ହଜାର ୭୬୭କୁ ବୃଦ୍ଧି ପାଇଛି ।