କେରଳର ଭର୍କଳାରେ ଅଘଟଣ: ମଧ୍ୟରାତ୍ରିରେ ଜଣେ ପରିବା ବିକାଳିଙ୍କ ଘରେ ନିଆଁ ଲାଗି ୮ ମାସର ଶିଶୁ ସମେତ ୫ ଜଣଙ୍କର ମୃତ୍ୟୁ

କେରଳର ଭର୍କଳାରେ ଘଟିଛି ଏକ ବଡ ଅଘଟଣ | ଗତକାଲି ମଧ୍ୟରାତ୍ରିରେ ଜଣେ ପରିବା ବିକାଳିଙ୍କ ଘରେ ନିଆଁ ଲାଗିଛି । ଏଥିରେ ଜଣେ ୮ ମାସର ଶିଶୁ ସମେତ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି | ଯାହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |

ସୂଚନା ଅନୁସାରେ ସୋମବାର-ମଙ୍ଗଳବାର ରାତି ୧ଟା ୪୫ରେ ଭର୍କଳାର ଦଳବପରୁମ ଗାଁରେ ଥିବା ଜଣେ ପରିବା ବିକାଳିଙ୍କ ଘରେ ନିଆଁ ଲାଗିଥିଲା । ଏଥିରେ ପ୍ରଥାପନ (୬୨), ଶେରଲି (୫୩), ଅଭିରାମୀ (୨୫), ଅଖିଳ (୨୯) ଓ ଅଭିରାମୀଙ୍କ ୮ ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଛି । ପ୍ରଥାପନ ହେଉଛନ୍ତି ଜଣେ ପରିବା ବିକାଳୀ । ଅଗ୍ନିକାଣ୍ଡ ଦୁର୍ଘଟଣାରେ ପ୍ରଥାପନଙ୍କ ବଡ଼ପୁଅ ଗୁରୁତର ଅଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମଧ୍ୟରାତ୍ରିରେ ନିଆଁ ଲାଗିବା ନେଇ ପଡୋଶୀମାନେ ଦମକଳ ବାହିନୀକୁ ସୂଚନା ଦେଇଥିଲେ । କିନ୍ତୁ ଦମକଳ ବାହିନୀ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ୫ ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ପୋଲିସ ମୃତ ଦେହ ଜବତ କରି କିପରି ନିଆଁ ଲାଗିଲା ସେନେଇ ତଦନ୍ତ ଆରମ୍ଭ କରିଛି |

Related Posts