‘ନିଜ ଦେଶରେ ଶରଣାର୍ଥୀଙ୍କ ଭଳି ଅଛନ୍ତି କାଶ୍ମୀର ପଣ୍ଡିତ’; ଟାର୍ଗେଟ କିଲିଂକୁ ନେଇ ବିଜେପି ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କାଶ୍ମୀରରେ ବୃଦ୍ଧି ପାଉଥିବା ଟାର୍ଗେଟ କିଲିଂ ଓ କାଶ୍ମୀର ପଣ୍ଡିତଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଆଜି ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଘଟଣା ପାଇଁ ସେ ସିଧାସଳଖ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ।

ସେ କହିଛନ୍ତି ଯେ, କ୍ଷମତାକୁ ଆସିବା ପୂର୍ବରୁ ବଡ ବଡ କଥା କହୁଥିବା ପ୍ରଧାନମନ୍ତ୍ରୀ ଆଜି କ୍ଷମତାକୁ ଉପଭୋଗ କରୁଛନ୍ତି । ହେଲେ କାଶ୍ମୀର ପଣ୍ଡିତମାନେ ନିଜ ଦେଶରେ ଶରଣାର୍ଥୀଙ୍କ ଭଳି ଜୀବନ ଯାପନ କରୁଛନ୍ତି । ରାହୁଲ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ କାଶ୍ମୀର ଘାଟିରେ ୩୦ ଟି ଟାର୍ଗେଟ୍ କିଲିଂ ଘଟଣା ଘଟିଛି । କାଶ୍ମୀରରୁ କାଶ୍ମୀର ପଣ୍ଡିତଙ୍କ ପଳାୟନ ଦ୍ରୁତଗତିରେ ବୃଦ୍ଧି ପାଉଛି । ଏହାସହ ୟୁପିଏ ସରକାର ସମୟରେ ହୋଇଥିବା ସମସ୍ତ ଭଲ କାମକୁ ବିଜେପି ବରବାଦ କରିଦେଇଥିବା କଥା ରାହୁଲ ଗାନ୍ଧୀ କହିଛନ୍ତି ।

ସୂଚନା ଅନୁସାରେ, କାଶ୍ମୀର ପଣ୍ଡିତ ପୂରଣ କୃଷ୍ଣାଙ୍କୁ ଚଳିତମାସ ୧୫ ତାରିଖରେ ତାଙ୍କ ଘର ବାହାରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ । ଏହାପରେ ୧୮ ତାରିଖରେ ଭଡାଘରେ ଶୋଇଥିବା ବେଳେ ମୋନିଶ କୁମାର ଓ ରାମ ସାଗରଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା । ଏଭଳି ଭାବେ ଗୋଟିକ ପରେ ଗୋଟିଏ ଘଟଣା କାରଣରୁ ଏବେ ଘାଟିରୁ କାଶ୍ମୀର ପଣ୍ଡିତମାନେ ପଳାୟନ କରୁଛନ୍ତି । ଏହି କ୍ରମରେ ଚୌଧୁରୀଗୁଣ୍ଡ ଗାଁର ୧୦ ଟି କାଶ୍ମୀର ପଣ୍ଡିତ ପରିବାର ଭୟରେ ସୋପିଆରୁ ନିଜ ଘର ଛାଡି ଏବେ ଜମ୍ମୁରେ ପହଂଚିଛନ୍ତି । ଏହାକୁ ନେଇ ଆଜି ବିଜେପିକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ।

Related Posts