ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଅବାକରୀ ଦୁର୍ନୀତି ମାମଲାରେ ବର୍ତ୍ତମାନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ତେଲେଙ୍ଗାନା ବିଧାନ ପରିଷଦ ସଦସ୍ୟା କେ. କବିତାଙ୍କ ନାଁ ଯୋଡ଼ି ହୋଇ ଯାଇଛି। ଅବକାରୀ ନୀତି ଦୁର୍ନୀତି ଘଟଣାରେ ତାଙ୍କ ଭୂମିକା ରହିଥିବାରୁ ଇଡି ତାଙ୍କ ବିରୋଧରେ ତଦନ୍ତ କରିବାକୁ ଚାହୁଁଛି। ଏନେଇ ଇଡି ପକ୍ଷରୁ କିଛି ଦସ୍ତାବିଜ୍ ମଧ୍ୟ କୋର୍ଟରେ ଦାଖଲ କରାଯାଇଛି। କୋର୍ଟରେ ଦାଖଲ ହୋଇଥିବା ଦସ୍ତାବିଜରେ କବିତାଙ୍କ ସମେତ ଆଉ କିଛି ଲୋକଙ୍କ ନାଁ ରହିଛି।
ତେବେ ଇଡି ଅବକାରୀ ଦୁର୍ନୀତି ଘଟଣାରେ ବୁଧବାର ଗୁରୁଗ୍ରାମରୁ ବ୍ୟବସାୟୀ ଅମିତ ଅରୋରାଙ୍କୁ ଗିରଫ କରିଥିଲା। ତାଙ୍କୁ ଗିରଫ ପରେ ଇଡି ଅଧିକାରୀମାନେ ଜେରା କରିଥିଲେ। ଏହି ସମୟରେ ସେ ଦେଇଥିବା ବୟାନକୁ ଆଧାର କରି କେସିଆରଙ୍କ ଝିଅ କବିତାଙ୍କ ନାଁ ମାମଲାରେ ଯୋଡ଼ା ଯାଇଛି। ଅବକାରୀ ଦୁର୍ନୀତି ସହ ସାଉଥ ଗ୍ରୁପର ଲିଙ୍କ ରହିଥିବା ମଧ୍ୟ ଜଣା ପଡ଼ିଛି। ଏହି ଗ୍ରୁପର ପ୍ରମୁଖ ସଦସ୍ୟ ହେଉଛନ୍ତି କବିତା। ଅନ୍ୟତମ ଗିରଫ ବ୍ୟବସାୟୀ ବିଜୟ ନାୟରଙ୍କ ମାଧ୍ୟମରେ ସାଉଥ ଗ୍ରୁପ ଦିଲ୍ଲୀର କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ) ନେତାମାନଙ୍କୁ ଅତି କମରେ ୧୦୦ କୋଟି ଟଙ୍କା ଦେଇଥିବା ଇଡି ଦାବି କରିଛି।
ଅନ୍ୟପକ୍ଷରେ ଇଡିର ଏପରି ଦାବି ପରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କବିତା। ସେ କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ସବୁ ରାଜ୍ୟରେ ନିର୍ବାଚନ ହେବାର ଅଛି, ସେଠାକୁ ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ଇଡି ଚାଲି ଆସୁଛି। ଏକଥା ସମସ୍ତେ ଜାଣିଛନ୍ତି। କୌଣସି ତଥ୍ୟ ପ୍ରମାଣ ନଥାଇ ସିବିଆଇ ଓ ଇଡି ଟିଆରଏସ୍ ନେତାଙ୍କ ବିରୋଧରେ ମାମଲା କରୁଛି। ଏହା ହୀନ ମାନସିକତାର ରାଜନୀତି। ଆପଣମାନେ କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରି ନିର୍ବାଚନ ଜିତି ପାରିବେ ନାହିଁ। ବିଜେପି ୮ ବର୍ଷ ମଧ୍ୟରେ ୯ଟି ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିଛି। ଏବେ କେସିଆରଙ୍କ ନେତୃତ୍ୱାଧୀନ ସରକାରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାର କରାଯାଉଥିବା କବିତା ଅଭିଯୋଗ କରିଛନ୍ତି।