ଆରପାରି ରେ ଖଞ୍ଜଣି ସଙ୍ଗୀତର ଅନନ୍ୟ ଶିଳ୍ପୀ ବନମାଳୀ ମିଶ୍ର

ଓଡ଼ିଶାର ପାରମ୍ପାରିକ ଲୋକକଳା ବାଦ୍ୟଯନ୍ତ୍ର ଖଞ୍ଜଣି ସଙ୍ଗୀତର ଅନନ୍ୟ କଳାକାର ବନମାଳୀ ମିଶ୍ର ଙ୍କ ଦେହାନ୍ତ। ଆଉ ଶୁଭିବ ନାହିଁ ମିଶ୍ର ସାରଙ୍କ “ନ ଚାହାଁ ମାୟା ଦର୍ପଣେ’, ‘ରାମ ନ ଭଜିଲୁ ତୁଣ୍ଡରେ’, ‘ନୀଳାଚଳେ ଲାଗିଛି ଲୀଳା’, ‘ଉଡୁରେ ଲୋଟଣି ପାରା’, ‘ଛଟକ ନ ଦେଖା କାହାକୁ’, ଆଦି ଲୋକପ୍ରିୟ ଭଜନ। ବହୁ ପୁରାତନ ଭଜନ ଓ ଜଣାଣକୁ ଖଞ୍ଜଣି ବାଦ୍ୟ ମାଧ୍ୟମରେ ଲୋକପ୍ରିୟ କରାଇଥିବା ଏହି କଳାକାରଙ୍କର ମୃତ୍ୟୁ ହୋଇଛି। ଗତ ୨୯ ତାରିଖରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚଳିତ ମାସ ୨ ତାରିଖରେ ସେଠାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା।

ଭଜନ ଓ ଲୋକଗୀତ ପରିବେଷଣ ବେଳେ ଖଞ୍ଜଣି ବାଦ୍ୟଯନ୍ତ୍ରଟି ବ୍ୟବହାର ହୋଇଥାଏ। ଓଡିଶାର ପୁରପଲ୍ଲୀରେ ସାଂସ୍କୃତିକ ଏବଂ ଭକ୍ତି କାର୍ଯ୍ୟକ୍ରମରେ ଖଞ୍ଜଣି ଏକ ଲୋକପ୍ରିୟ ବାଦ୍ୟଯନ୍ତ୍ର।

ଆଧୁନିକତାର ଯୁଗରେ ସମୟକ୍ରମେ ଏହି ପାରମ୍ପାରିକ ବାଦ୍ୟଯନ୍ତ୍ରର ଆଦର ଏବଂ ଲୋକପ୍ରିୟତା ଧିରେ ଧିରେ କମିବାରେ ଲାଗିଛି। ଓଡ଼ିଶାରେ ଯେଉଁ ଅଳ୍ପ କେଇଜଣ କଳାକାର ଖଞ୍ଜଣି ବାଦ୍ୟ ଯନ୍ତ୍ରକୁ ବଞ୍ଚେଇ ରଖିଛନ୍ତି ତନ୍ମଧ୍ୟରୁ ପୁରୀ ଜିଲ୍ଲା ପିପିଲି ର ବନମାଳୀ ମିଶ୍ର ଥିଲେ ଜଣେ ନିଆରା କଳାକାର। ଖଞ୍ଜଣି ସଙ୍ଗୀତକୁ ଓଡ଼ିଶାର ଗାଁ ଗହଳୀର ଜନସମାଜରେ ଲୋକପ୍ରିୟ କରି ରଖିବାରେ ବନମାଳୀ ମିଶ୍ରଙ୍କ ବହୁ ଅବଦାନ ରହିଛି। ଖଞ୍ଜଣି ସଙ୍ଗୀତ କଳାର ସେ ଥିଲେ ଜଣେ ଅନନ୍ୟ ଶିଳ୍ପୀ। ହେଲେ ଦୁଃଖ ର କଥା ବନମାଳୀ ମିଶ୍ର ଆଉ ଆମ ଗହଣରେ ନାହାନ୍ତି।

ପୁରୀ ଜିଲ୍ଲା ପିପିଲି ବ୍ଲକ୍‌ ଅନ୍ତର୍ଗତ କମଳା ସାଗର ପାଟଣା ଗାଁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ମିଶ୍ର ପିଲାଟି ଦିନରୁ ହିଁ ସମାଜସେବା ସହ ଭଜନ ଓ ଜଣାଣରେ ରୁଚି ରଖିଥିଲେ। ଭାରତୀୟ ଜାତୀୟ କଂଗ୍ରେସର ଜଣେ ଆଜୀବନ କର୍ମୀ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଜଣେ ପୁରୁଖା କଂଗ୍ରେସ କର୍ମୀଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ଓ ସମ୍ମାନ ମଧ୍ୟ ଥିଲା।ପିପିଲି ଅଞ୍ଚଳରେ ଜଣେ ମୂରବୀ ଭାବରେ ପରିଚିତ ଥିଲେ ବନମାଳୀ ମିଶ୍ର।

ଗାଁ ପାଇଁ ତାଙ୍କର ଅନେକ ଅବଦାନ ଥିଲା। ଗାଁରେ ବିଦ୍ୟାଳୟ ପ୍ରତିଷ୍ଠା କରିବା ଓ ଖଣ୍ଡିମଙ୍ଗଳପୁର ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଥିଲେ। କୃଷି ହିଁ ଥିଲା ତାଙ୍କ ଜୀବନ। ଜଣେ ସଫଳ କୃଷକ ଭାବେ ବିଭିନ୍ନ ସଂସ୍ଥା ପକ୍ଷରୁ ମଧ୍ୟ ସେ ପୁରସ୍କୃତ ହୋଇଥିଲେ।

କୃଷି ସିନା ଥିଲା ପେଷା ହେଲେ କଳା ଥିଲା ତାଙ୍କ ନିଶା। ସ୍ଥାନୀୟ ମେଳା ଓ ମହୋତ୍ସବରେ ସେ ପୁରାତନ ଭଜନ ଓ ଜଣାଣଗୁଡିକୁ ଖଞ୍ଜଣି ବାଦ୍ୟ ମାଧ୍ୟମରେ ଉପସ୍ଥାପନ କରି ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। କୋଭିଡ୍ ସମୟରେ ସେ ବୋଲୁଥିବା ଗୀତଗୁଡିକୁ ରେକର୍ଡିଂ କରାଯାଇ ବିଭିନ୍ନ ସୋସିଆଲ୍ ମିଡିଆରେ ଶେୟାର୍ ହେବା ପରେ ଲକ୍ଷାଧିକ ଦର୍ଶକ ଏହାକୁ ଦେଖିଥିଲେ ଏବଂ ପରବର୍ତ୍ତୀ ସମୟରେ ସେହି ସଙ୍ଗୀତ ଗୁଡ଼ିକ ସୋସିଆଲ ମିଡିଆରେ ବହୁ ଲୋକପ୍ରିୟ ହୋଇଥିଲା।

ସେ ଗାଇଥିବା ‘ନ ଚାହାଁ ମାୟା ଦର୍ପଣେ’, ‘ରାମ ନ ଭଜିଲୁ ତୁଣ୍ଡରେ’, ‘ନୀଳାଚଳେ ଲାଗିଛି ଲୀଳା’, ‘ଉଡୁରେ ଲୋଟଣି ପାରା’, ‘ଛଟକ ନ ଦେଖା କାହାକୁ’, ‘ଆରେ ଭୁଲାମନ ଦିନେ ସରିଯିବ ସୁଖ ସମ୍ପଦ’, ‘ଲଭରେ ଲହକା ମନ’, ‘ଟିକେ ଭଜରେ ଶ୍ୟାମସୁନ୍ଦର’, ‘ତେଜ ମନ ବାବାଜୀ ମାୟା ମଠକୁ’ ଆଦି ପୁରାତନ ଭଜନଗୁଡିକ ଦର୍ଶକଙ୍କ ମନକୁ ଖୁବ୍ ଛୁଇଁ ପାରିଥିଲା।

ହସ୍ପିଟାଲ୍‌ରୁ ତାଙ୍କ ମୃତ ଶରୀର ଗାଁକୁ ଆସିବା ପରେ ଆଖପାଖର ଶହ ଶହ ଲୋକ ତାଙ୍କ ଦର୍ଶନ ପାଇଁ ରୁଣ୍ଡ ହୋଇଥିଲେ। ଶେଷକୃତ୍ୟ ଗାଁ ଶଶ୍ମାନରେ କରାଯାଇଥିବା । ବନମାଳୀ ମିଶ୍ରଙ୍କ ବଡପୁଅ ବିଭୂତି ଭୂଷଣ ମିଶ୍ର ମୁଖାଗ୍ନି ଦେଇଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁଅ ବିଭୂତି ଭୂଷଣ ମିଶ୍ର, ଶଶୀ ଭୂଷଣ ମିଶ୍ର, ଆଡଭୋକେଟ୍ ନିଶିକାନ୍ତ ମିଶ୍ର, ଇଂ. ଚନ୍ଦ୍ରକାନ୍ତ ମିଶ୍ର, ତଥା ସାନପୁଅ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କାରପ୍ରାପ୍ତ ମାନବ ଅଧିକାର ଏବଂ ସୂଚନା ଅଧିକାର କର୍ମୀ ଅଖଣ୍ଡ ଦୁଇ ଝିଅ ଓ ସାନ ଜ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Related Posts