ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ମଧ୍ୟରେ ସୂର୍ଯ୍ୟ ପାତ୍ରଙ୍କ ପୁଅ ସବୁଠୁ ଧନୀ

 

ଭୁବନେଶ୍ୱର,୦୭/୫(ସତ୍ୟପାଠ ବ୍ୟୁରୋ):    ରାଜ୍ୟରେ ହେବାକୁ ଯାଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୮ଟି ବିଧାନସଭା ଆସନ ପାଇଁ ୨୪୩ ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ଏମାନଙ୍କ ସବୁଠୁ ଧନୀ ହେଉଛନ୍ତି ପୂର୍ବତନ ବାଚସ୍ପତି ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର । ବିପ୍ଳବ ବିଜେଡି ପ୍ରାର୍ଥୀ ଭାବେ ଦିଗପହଣ୍ଡି ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିପ୍ଲବଙ୍କ ପଛକୁ ଅଛନ୍ତି ବିଜେଡିର ଗୋପାଳପୁର ପ୍ରାର୍ଥୀ ବିଧାୟକ ବିକ୍ରମ କୁମାର ପଣ୍ଡା ଓ ତୃତୀୟ ସ୍ଥାନରେ ରହିଛନ୍ତି ବିଜେପିର ଧର୍ମଗଡ ପ୍ରାର୍ଥୀ ସୁଧୀର ରଞ୍ଜନ ପାଟ୍ଟଯୋଶୀ ।

ଓଡିଶା ଇଲେକ୍ସନ ୱାଚ ଓ ଏଡିଆର ପକ୍ଷରୁ ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀମାନଙ୍କ ତାଲିକାରୁ ଜଣାଯାଇଛି ଯେ ବିପ୍ଲବଙ୍କର ମୋଟ୍‍ ସମ୍ପତ୍ତିର ପରିମାଣ ୩୩ କୋଟି ଟଙ୍କାରୁ ଅଧିକ ରହିଛି । ସେହିଭଳି ବିକ୍ରମ ପଣ୍ଡାଙ୍କ ସମ୍ପତ୍ତିର ପରିମାଣ ୧୫.୯୪ କୋଟି ଟଙ୍କା ହୋଇଥିବାବେଳେ ସୁଧୀରଙ୍କ ସମ୍ପତ୍ତିର ପରିମାଣ ୧୨ କୋଟିରୁ ଅଧିକ ରହିଛି ।

ତେବେ ଭବାନୀପାଟଣା ବିଧାନସଭା ଆସନରୁ ସ୍ୱାଧୀନ ଭାବେ ଲଢୁଥିବା ରମେଶ କୁମାର ମହାନନ୍ଦ ଏବଂ ରାୟଗଡା ବିଧାନସଭା ଆସନରୁ ବିଏସ୍‍ପି ପ୍ରାର୍ଥୀ ଭାବେ ଲଢୁଥିବା ପୂର୍ଣ୍ଣ ଚନ୍ଦ୍ର ମାଝିଙ୍କ ନିକଟରେ କୌଣସି ଅର୍ଥ ନଥିବା ନିଜ ନିଜ ସତ୍ୟପାଠରେ ଦର୍ଶାଇଛନ୍ତି ।

ମୋଟ୍‍ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୧୩ଜଣଙ୍କ ସମ୍ପତ୍ତି ୫କୋଟି ଟଙ୍କାରୁ ଅଧିକ କରି ଥିବାବେଳେ ୨୫ଜଣଙ୍କ ସମ୍ପତ୍ତି ୨କୋଟି ଟଙ୍କାରୁ ଅଧିକ କରି ରହିଛି । ୬୫ଜଣ ପ୍ରାର୍ଥୀଙ୍କ ସମ୍ପତ୍ତିର ପରିମାଣ ୫୦ଲକ୍ଷରୁ ୨ କୋଟି ଟଙ୍କା ମଧ୍ୟରେ ଥିବାବେଳେ ୪୯ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧୦ ରୁ ୫୦ଲକ୍ଷ ଟଙ୍କା ମଧ୍ୟରେ ଅଛି । ୧୦ଲକ୍ଷ ଟଙ୍କାରୁ କମ୍‍ ସମ୍ପତ୍ତି ଥିବା ପ୍ରାର୍ଥୀଙ୍କ ତାଲିକାରେ ୯୧ଜଣ ରହିଛନ୍ତି ।

କୋଟିପତି ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିର ୮୯% ଥିବାବେଳେ କଂଗ୍ରେସର ୫୦%, ବିଜେପିର ୫୦%, ନବଭାରତ ନିର୍ମାଣ ସେବା ପାର୍ଟିର ୨୦%, ଆପ୍‍ର ୧୮% ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ୧୬% ପ୍ରତିଶତ ଧନୀ ଅଟନ୍ତି ।

ପ୍ରତିଦ୍ୱନ୍ଦିତା କରୁଥିବା ମୋଟ୍‍ ୨୪୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୍‍ ୧୩୨ ଶିକ୍ଷାଗତ ଯୋଗ୍ୟତା ପଞ୍ଚରୁ ଦ୍ୱାଦଶ ମଧ୍ୟରେ ଥିବାବେଳେ ୧୦୦ ଜଣଙ୍କାର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଏବଂ ତଦୁର୍ଦ୍ଧ ରହିଛି । ତାଲିକାରେ ୭ଜଣ ଡିପ୍ଲୋମାଧାରୀ ଥିବାବେଳେ ୪ଜଣ ନିଜକୁ ସର୍ବନିମ୍ନ ସାକ୍ଷର ବୋଲି ଦର୍ଶାଇଛନ୍ତି ।

ସେହିଭଳି ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ଜଣଙ୍କ ନାଁରେ ଅପରାଧିକ ମାମଲା ଥିବାବେଳେ ୪୮ଜଣଙ୍କ ନାଁରେ ଗୁରୁତର ମାମଲା ରହିଛି । ଅପରାଧିକ ମାମଲା ଥିବା ୬୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୮ଜଣ ବିଜେପିର ଥିବାବେଳେ କଂଗ୍ରେସର ୧୭, ବିଜେଡିର ୯, ଆପ୍‍ର ୩ଜଣ, କଳିଙ୍ଗସେନାର ଜଣେ ଏବଂ ୧୩ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ଗୁରୁତର ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ସର୍ବାଧିକ ୧୫ଜଣ ଥିବାବେଳେ କଂଗ୍ରେସର ୧୦ ଜଣ ରହିଛନ୍ତି ।

ପ୍ରାର୍ଥୀଙ୍କ ମଧ୍ୟରୁ ୭୩ଜଣ ପ୍ରାର୍ଥୀଙ୍କ ବୟସ ୨୫ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବାବେଳେ ୧୪୪ଜଣଙ୍କର ବ୍ରସ ୪୧ ରୁ ୬୦ବର୍ଷ ମଧ୍ୟରେ ରହିଛି । ୨୬ଜଣ ପ୍ରାର୍ଥୀଙ୍କ ବୟସ ୬୧ ରୁ ୮୦ବର୍ଷ ମଧ୍ୟରେ ରହିଥିବା ରିପୋର୍ଟରେ ଦର୍ଶାଯାଇଛି ।

Related Posts