ଖପ୍ରାଖୋଲ : ଦୁଇଟି ପୃଥକ ସ୍ଥାନରୁ ଉଦ୍ଧାର ହେଲେ ୩୨ ଦାଦନ ଶ୍ରମିକ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ କୁ ଏହି ସଫଳତା ମିଳିଛି । ଶୁକ୍ରବାର ପାଟ୍ରୋଲିଂ ସମୟରେ ଗମ୍ଭାରୀ ଛକ ଠାରୁ ୧୦ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଏହାପରେ ଦିନ ୧୧ଟାରେ ଭେଲୁଆଁଖୋଲ ନିକଟରୁ ପିଙ୍କି ନାମକ ଏକ ବସ୍‌ରୁ ୨୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି।

ଏହା ସହ ୨ ଦାଦନ ସର୍ଦ୍ଦାରଙ୍କୁ ପୋଲିସ ଗିରଫ କରିଛି।

ସୂଚନାନୁଯାୟୀ, ଖପ୍ରାଖୋଲ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଦୁଇଟି ପୃଥକ ସ୍ଥାନରୁ ୩୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଆଜି ଭୋର ସମୟରେ ପାଟ୍ରୋଲିଂ ଟିମ୍ ଗମ୍ଭାରୀ ଛକ ଠାରୁ ୧୦ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଆଣିଥିଲା। ସେମାନଙ୍କୁ ପଚରାଉଚୁରା କରିବାରୁ ସେମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡ଼ିଥିଲା। ଉଦ୍ଧାର ହୋଇଥିବା ଦାଦନ ଶ୍ରମିକମାନେ ଓଡ଼ିଆପାଲି ପଞ୍ଚାୟତ ଅନ୍ତର୍ଗତ ବୁଢ଼ୀବାହାଲ ଗ୍ରାମର ୩ଜଣ ପୁରୁଷ, ୩ ଜଣ ମହିଳା ସମେତ ୪ ଜଣ ଶିଶୁ ବୋଲି ଜଣାପଡ଼ିଛି। ତୁରେକେଲା ଥାନା ଖୁଟଲୁମୁଡାର ଦାଦନ ସର୍ଦ୍ଦାର ଗଣେଶ ପାତ୍ର ତରଫରୁ ବୁଢ଼ୀବାହାଲ ଗ୍ରାମର ଦାଦନ ଦଲାଲ ଟଙ୍କଧର ପୁଟେଲ ସେମାନଙ୍କୁ ଏକ ବୋଲେରୋ ଯୋଗେ ବାହାର ରାଜ୍ୟକୁ ବେଆଇନ ଭାବେ ଚାଲାଣ କରୁଥିବା ଜଣାପଡିଥିଲା।

ସେହିପରି ସକାଳ ୧୧ଟା ବେଳେ ଭେଲୁଆଁଖୋଲ ନିକଟରେ ପିଙ୍କି ବସରୁ ୨୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା ପୋଲିସ l ସେମାନେ ବରଗଡ଼ ଜିଲ୍ଲା ବୁଡେନ ଥାନା ଅନ୍ତର୍ଗତ ରାଇବାହାଦୁରପୁର ଗ୍ରାମର ବୋଲି ଜଣାପଡ଼ିଛି। ଉଦ୍ଧାର ହୋଇଥିବା ଦାଦନ ଶ୍ରମିକଙ୍କ ମଧ୍ୟରେ ୭ ଜଣ ପୁରୁଷ, ୭ ଜଣ ମହିଳା ସମେତ ୮ ଜଣ ଶିଶୁ ରହିଛନ୍ତି। ସେମାନଙ୍କୁ ଖୁଟଲୁମୁଣ୍ଡାର ଦାଦନ ସର୍ଦ୍ଦାର ପୁରନ ବାଗ ତରଫରୁ ଦାଦନ ଦଲାଲ ଦୟାନନ୍ଦ ସାହୁ ବାହାର ରାଜ୍ୟକୁ ଚାଲାଣ କରୁଥିବା ଜଣାପଡିଥିଲା l ଏହି କ୍ରମରେ ସମୁଦାୟ ୩୨ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି। ବୋଲେରୋ ସମେତ ଦୁଇ ଦାଦନ ଦଲାଲଙ୍କୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ କରୁଛି। ଏନେଇ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତିl