ଜାଣନ୍ତୁ ଆଇଏଏସ୍ ଟପ୍ପର୍ ଓଡ଼ିଆ ପୁଅ ଅନିମେଶଙ୍କ ସଂଘର୍ଷ କାହାଣୀ..

ଭୁବନେଶ୍ୱର,୧୬/୪(ସତ୍ୟପାଠ ବ୍ୟୁରୋ):  ଆଜି ପ୍ରଶାସନିକ ସେବା(UPSC) ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାରକରି ଓଡିଶାବାସୀଙ୍କୁ ଗୌରବାନ୍ନିତ କରିଛନ୍ତି ଓଡିଆ ପୁଅ ଅନିମେଶ ପ୍ରଧାନ। ତେବେ ଆସନ୍ତୁ ଜାଣିବା ତାଙ୍କର ଏହି ସଫଳତା ପଛରେ ରହିଥିବା ସଂଘର୍ଷର କାହାଣୀ ।

ଏକ ନିପଟ ମଫସଲ ଗାଁରେ ଜନ୍ମିତ ବାପା-ମା ଛେଉଣ୍ଡ ୨୪ ବର୍ଷର ଯୁବକ ଅନିମେଶ ପ୍ରଧାନ । ଜଣେ ମେଧାବୀ ଛାତ୍ର ପାଇଁ ସବୁଠାରୁ କଠିନ କୁହାଯାଉଥିବା ଆଇଏଏସ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ରାଉରକେଲା ଏନଆଇଟିରୁ କମ୍ପ୍ୟୁଟର ସାଇନସ୍ ରେ ବି.ଟେକ୍ କରିଥିବା ଅନିମେଶ ପ୍ରଥମ ଉଦ୍ୟମରେ ହିଁ ଏତେ ବଡ଼ ସଫଳତା ପାଇଛନ୍ତି । ତାହା ପୁଣି ବିନା କୋଚିଂରେ । ଅନିମେଶଙ୍କ ଏହି ସଫଳତାରେ ସାରା ଓଡ଼ିଶାବାସୀ ଆଜି ଗର୍ବିତ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଅନିମେଶଙ୍କ ଏହି ସଫଳ ଯାତ୍ରା ପଛରେ ରହିଛି ବିରାଟ ସଂଘର୍ଷ କାହାଣୀ । ଅନୁଗୁଳ ଜିଲ୍ଲା ତାଳଚେର ଅନ୍ତର୍ଗତ ଭାଲୁଗାଡ଼ିଆ ଗାଁରେ ତାଙ୍କର ଜନ୍ମ । ପ୍ରଭାକର ପ୍ରଧାନ ଓ ଅରୁଣା ପାତ୍ରଙ୍କର ପୁଅ । ପିଲାଦିନୁ ଜଣେ ମେଧାବୀ ଛାତ୍ର ଥିଲେ । ଏମସିଏଲ୍ ଡିଏଭି ପବ୍ଲିକ୍ ସ୍କୁଲରୁ ଦ୍ୱାଦଶ ଶ୍ରେଣୀରେ ୯୮.୮% ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ୨୦୨୧ ମସିହାରେ ରାଉରକେଲା ଏନଆଇଟିରୁ କମ୍ପ୍ୟୁଟର ସାଇନସ୍ ରେ ବି. ଟେକ୍ ପାସ୍ କରିଥିଲେ । ଏହାପରଠୁ ସେ ଦିଲ୍ଲୀରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍(ଆଇଓସିଏଲ୍) ରେ ଇନଫରମେସନ୍ ସିଷ୍ଟମ୍ ଅଫିସର ଭାବେ ଚାକିରି କରୁଛନ୍ତି ।

ତେବେ ସେଥିରେ ତାଙ୍କର କ୍ୟାରିୟର୍ ଅଟକି ଯାଇ ନ ଥିଲା । ଆଇଏଏସ୍ ହେବାକୁ ସ୍ୱପ୍ନ ଦେଖି ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ବିନା କୋଚିଂରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଶପଥ ନେଇଥିଲେ । ମାତ୍ର ଏହି ସମୟରେ ତାଙ୍କ ପାରିବାରିକ ଜୀବନକୁ ମାଡ଼ି ଆସିଥିଲା ଘୋର ଦୁର୍ଦ୍ଦଶା । ବାପା ଛେଉଣ୍ଡ ଅନିମେଶଙ୍କ ମା’ କ୍ୟାନସର୍ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ଏହା ତାଙ୍କୁ ଭୀଷଣ କଷ୍ଟ ଓ ବିଚଳିତ କରିଥିଲେ ମଧ୍ୟ ସେଥିରେ ଭାଙ୍ଗି ପଡ଼ି ନ ଥିଲେ କି ଲକ୍ଷ୍ୟପଥରୁ ଓହରି ଯାଇ ନ ଥିଲେ । ମା’ ଙ୍କ ଟ୍ରିଟମେଣ୍ଟ ଚାଲିଥିବା ବେଳେ ସେ ୟୁପିଏସସି ପରୀକ୍ଷା ଦେଉଥିଲେ ।

ମାତ୍ର ଆଜି ତାଙ୍କର ଏହି ବିରାଟ ସଫଳତା ଦେଖିବାକୁ ମା’ ନାହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଗତମାସରେ ଆଖି ବୁଜିଦେଇଛନ୍ତି । ଏହା ହିଁ ତାଙ୍କ ପାଇଁ ସବୁଠାରୁ ବଡ଼ ଦୁଃଖ ବୋଲି କହିଛନ୍ତି ଅନିମେଶ । ମା’ ଙ୍କୁ ମନେ ପକେଇ କହିଛନ୍ତି, ସେ ଆଜି ନାହାନ୍ତି ସତ, କିନ୍ତୁ ଆଜି ଯାହା ବି ହୋଇଛି ତାହା କେବଳ ମା’ ଙ୍କ ଯୋଗୁଁ । ସେ ହିଁ ତାଙ୍କର ପ୍ରେରଣା ବୋଲି ଅନିମେଶ କହିଛନ୍ତି ।

ପୂର୍ବରୁ ସେ ସ୍କୁଲରେ ପଢ଼ୁଥିବା ବେଳେ ୨୦୧୭ ମସିହାରେ ତାଙ୍କ ବାପା ପ୍ରଭାକର ପ୍ରଧାନ ଆରପାରିକୁ ଚାଲିଯାଇଥିଲେ । ତାଙ୍କ ଭଉଣୀ ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗରେ ଚାକିରି କରିଛନ୍ତି । ତାଙ୍କର ଏହି ସଫଳତା ପଛରେ ଭଉଣୀଙ୍କ ପ୍ରେରଣାକୁ ମଧ୍ୟ ମନେ ପକାଇଛନ୍ତି ଅନିମେଶ ।

Related Posts