କୋଲକତା ଲଜ୍ଜ୍ୟା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ଜୁନିଅର ଡାକ୍ତର

ଭୁବନେଶ୍ୱର,୧୧/୯(ସତ୍ୟପାଠ ବ୍ୟୁରୋ):  ଅଗଷ୍ଟ ୯ ତାରିଖରୁ ଆର୍ଜି କର ହସ୍ପିଟାଲ ପୀଡ଼ିତାଙ୍କୁ ନ୍ୟାୟ ଦାବି କରି ପଶ୍ଚିମବଙ୍ଗର ବିଭିନ୍ନ ସରକାରୀ ହସ୍ପିଟାଲର କନିଷ୍ଠ ଡାକ୍ତରମାନେ ଚଳାଇଥିବା ଆନ୍ଦୋଳନ ଆଜି ମଧ୍ୟ ଜାରି ରହିଛି। ଆନ୍ଦୋଳନ ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟ କାଲି ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଥିଲେ। ଏହି ସମୟ ସୀମା ଅତିକ୍ରମ କରିଯିବା ପରେ ମଧ୍ୟ ଡାକ୍ତରମାନେ କାର୍ଯ୍ୟବନ୍ଦ ଜାରି ରଖିଛନ୍ତି ଏବଂ ଏ ବାବଦ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ସରକାର ଯଦି ନ୍ୟାୟୋଚିତ ଦାବିକୁ ଅଣଦେଖା କରିଚାଲିବେ ତା’ହେଲେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ମଧ୍ୟ ଡାକ୍ତର ସଂଘ ଚେତାବନୀ ଦେଇଛି ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ନିରାଶା ବ୍ୟକ୍ତ କରିଛି। ସରକାର ଆମ ଦାବି ପୂରଣ ନ କରିବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରହିବ। ଆନ୍ଦୋଳନ କେବେ ଶେଷ ହେବ ଏହା ସରକାରଙ୍କ ପଦକ୍ଷେପ ଉପରେ ନିର୍ଭର କରୁଛି ବୋଲି ଆନ୍ଦୋଳନରତ ଡାକ୍ତରମାନେ କହିଛନ୍ତି। 

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପ୍ରତିକୂଳ କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନଙ୍କୁ ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆନ୍ଦୋଳନରତ ଡାକ୍ତରମାନେ କାର୍ଯ୍ୟରେ ଯୋଗଦେଲେ ସେମାନଙ୍କ ବିରୋଧରେ ଦଣ୍ଡମୂଳକ ବଦଳି ସମେତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ପଶ୍ଚିମବଙ୍ଗ ସରକାର ପ୍ରତିଶ୍ରୁତି ଦେବା ପରେ ଅଦାଲତ ଏହି ନିର୍ଦ୍ଦେଶ ଦେଇଥିଲେ। ଜୁନିୟର ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୨୩ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସରକାର ସୋମବାର ସୁପ୍ରିମ୍ କୋର୍ଟଙ୍କୁ ଜଣାଇଥିଲେ।

Related Posts