ଛୁଟିରେ ଗଲେ କୁଲାଙ୍ଗେ, ରାଜେସ୍ ପାଟିଲ୍ ହେଲେ ନୂଆ ବିଏମସି କମିଶନର୍

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ବଦଳିଲେ ଭୁବନେଶ୍ଵର ମହାନଗର ନିଗମ (ବିଏମସି) କମିଶନର୍ । ରାଜେସ୍ ପାଟିଲ୍ ହେଲେ ନୂତନ ବିଏମସି କମିଶନର୍ । ନୂତନ ବିଏମସି କମିଶନର୍ ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛୁଟିରେ ଯିବେ ବର୍ତ୍ତମାନର ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ତେଣୁ ଆଜି ନୂତନ କମିଶନର୍ ଭାବରେ ନିଯୁକ୍ତି ହେଲେ ରାଜେସ୍ ପାଟିଲ୍ ।

୨୦୦୫ ବ୍ୟାଚର ଆଇଏଏସ୍ ରାଜେଶ୍ ପ୍ରଭାକର ପାଟିଲ୍ ହେବେ ଭୁବନେଶ୍ଵର ମହାନଗର ନିଗମର ନୂତନ କମିଶନର୍ । ସେପଟେ ଆଜିଠୁ ଛୁଟିରେ ଯିବେ ବର୍ତ୍ତମାନର କମିଶନର୍ ବିଜୟ ଅମୃତ କୁଲାଙ୍ଗେ । ଏକ ମାସ ଛୁଟି ପାଇଁ ଆବେଦନ କରିଥିଲେ କମିଶନର୍ କୁଲାଙ୍ଗେ । ତାଙ୍କ ଆବେଦନକୁ ମଞ୍ଜୁରି ମିଳିବା ପରେ ଆଜି ଠାରୁ ସେ ଛୁଟିରେ ଯିବେ । ତେବେ କମିଶନର୍ କୁଲାଙ୍ଗେଙ୍କ ଛୁଟି ସରିବା ପରେ ତାଙ୍କୁ ନୂତନ ବିଭାଗରେ ନିଯୁକ୍ତି କରାଯିବା ନେଇ ସୂଚନା ଦେଇଛି ଜିଏ ।

ସୂଚନା ଅନୁସାରେ, ଗତକାଲି ସିଟିଂ ଫି ବୃଦ୍ଧିକୁ ନେଇ ଏକ ଭୁଲ ବିବୃତି ହେଇଥିଲେ କମିଶନର୍ କୁଲାଙ୍ଗେ । କିନ୍ତୁ ପରେ ନିଜର ମତ ବଦଳାଇଥିଲେ । ପ୍ରଥମେ କର୍ପୋରେଟର, ଡେପୁଟି ମେୟର ଓ ମେୟରଙ୍କ ସିଟିଂ ଫି ବୃଦ୍ଧିକୁ ନେଇ ଭୁଲ ବିବୃତି ଦେଇଥିଲେ କମିଶନର୍ ବିଜୟ ଅମୃତ କୁଲାଙ୍ଗେ । କିନ୍ତୁ ପରବର୍ତ୍ତି ମୁହୂର୍ତ୍ତରେ ଏହାକୁ ବଦଳାଇ କର୍ପୋରେଟର, ମେୟର ଓ କମିଶନରଙ୍କ ସିଟ୍ ଫି ବୃଦ୍ଧି କଥା କହିଥିଲେ । ଯେଉଁଥିପାଇଁ ଏହି ନିଷ୍ପତି ନିଆଯାଇଥିବା ସନ୍ଦେହ କରାଯାଉଛି ।

ତେବେ ଗତକାଲି କର୍ପୋରେସନ ବୈଠକରେ କର୍ପୋରେଟର, ମେୟର ଓ କମିଶନରଙ୍କ ସିଟିଂ ଫି ବୃଦ୍ଧି ନେଇ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଥିଲେ ବିଜୟ ଅମୃତ କୁଲାଙ୍ଗେ । ଏହା ମାର୍ଚ୍ଚ ମାସରୁ କାର୍ଯ୍ୟକାରୀ ହେବ ବୋଲି ସେ କହିଥିଲେ। ଏପରିକି ‘ଜନପ୍ରତିନିଧିମାନେ ୱାର୍ଡରେ ବୁଲୁଛନ୍ତି, ଲୋକଙ୍କ ସହ ବୁଲି କାମ କରୁଛନ୍ତି । ତେଣୁ ତାଙ୍କ ପାଇଁ ଏହି ଫି ସହାୟକ ହେବ’ ବୋଲି ମଧ୍ୟ କହିଥିଲେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ।

ସୂଚନାଯୋଗ୍ୟ ଯେ, ଗଞ୍ଜାମର ପୂର୍ବତନ ଜିଲ୍ଲାପାଳ ତଥା ୨୦୧୩ ବ୍ୟାଚର ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେଙ୍କୁ ଗତ ୧୬ ଜୁନ୍ ୨୦୨୨ରେ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ବଦଳି କରାଯାଇଥିଲା । ଏହାସହିତ ସେ କ୍ରୁଟ ପରିଚାଳନା ନିର୍ଦ୍ଦେଶକ ଓ ବିଏସସିଏଲ୍ ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଉଥିଲେ ।

Related Posts