ଭୁବନେଶ୍ୱର: ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ଏବେ ନିଜ ଜାଲରେ ନିଜେ ଛନ୍ଦି ହୋଇଛନ୍ତି । ଜାମିନ ପାଇଁ କରିଥିବା ଆବେଦନ ତାଙ୍କର ଖାରଜ ହୋଇଛି । ଭୁବନେଶ୍ବର ଏସଡିଜେଏମ୍ କୋର୍ଟ ତାଙ୍କର ଜାମିନ ଆବେଦନ ଖାରଜ କରିଛନ୍ତି। ଏବେ ଅର୍ଚ୍ଚନା ଝାରପଡା ଜେଲ୍ ହିଁ ରହିବ ।

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏହାଫଳରେ ଜେଲରୁ ମୁକୁଳି ପାରିବେନି ଅର୍ଚ୍ଚନା ନାଗ। ଅନେକ ରାଜନେତା ଓ ବ୍ୟବସାୟୀ ତଥା ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କର ଅଶ୍ଲୀଳ ଭିଡିଓ ସୁଟ୍ କରିବା ସହ ସେମାନଙ୍କୁ ବ୍ଲାକମେଲ୍ ଓ ହତ୍ୟା ଧମକ ଦେବାର ସଙ୍ଗୀନ ଅଭିଯୋଗ ଅର୍ଚ୍ଚନାଙ୍କ ନାମରେ ରହିଛି । ଚଳଚିତ୍ର ପ୍ରଯୋଜକଙ୍କ ଅଭିଯୋଗ ଏବଂ ଅର୍ଚ୍ଚନାଙ୍କ ସହକର୍ମୀଙ୍କ ଅଭିଯୋଗ ଆଧାରରେ ତଦନ୍ତ କରାଯାଇ ଅକ୍ଟୋବର ୭ ତାରିଖରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ ।

ସୂଚନାଯୋଗ୍ୟ, ଦେହ ବ୍ୟବସାୟ ଭଳି କଳା ବେପାରରେ ଯୁବତୀଙ୍କୁ ନିୟୋଜିତ କରିବା, ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଭିଡିଓ ସୁଟ୍ କରି ଟଙ୍କା ପାଇଁ ବ୍ଲାକମେଲ୍ କରିବା ଆଦି ବିଭିନ୍ନ ସଙ୍ଗିନ୍ ଦଫାରେ ଗିରଫ ହୋଇ ଜେଲରେ ଅଛନ୍ତି ଅର୍ଚ୍ଚନା ନାଗ। ସମ୍ପ୍ରତି ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଏହି ମାମଲାର ମୁଖ୍ୟ ଅର୍ଚ୍ଚନାଙ୍କ ଜାମିନ୍ ଆବେଦନର ଶୁଣାଣି ଭୁବନେଶ୍ବର ଏସ ଡିଜେଏମ୍ କୋର୍ଟରେ ହୋଇଥିଲା। ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଥିଲା। ସୋମବାର ରାୟ ପ୍ରକାଶ ପାଇଛି।