
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଲକ୍ଷୀମପୁର ଖେରୀ ହିଂସାକାଣ୍ଡ ମାମଲାରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ଆବେଦନ ଉପରେ ୟୁପି ସରକାରକୁ ନୋଟିସ ଜାରି କରାଯାଇଛି। ଯୋଗୀ ସରକାରଙ୍କୁ ୨୦ ଦିନ ଭିତରେ ଉତ୍ତର ରଖିବାକୁ ନୋଟିସ କରାଯାଇଛି । ସେପ୍ଟେମ୍ବର ୨୬ ସୁଦ୍ଧା ଯୋଗୀ ପ୍ରଶାସନ ଏନେଇ ଉତ୍ତର ରଖିବ ।ତେବେ ଗତ ମାସରେ ଆଶିଷ ସୁପ୍ରିମକୋର୍ଟରେ ନିଜର ଜାମିନ ପାଇଁ ଆବେଦନପତ୍ର ଦାଖଲ କରିଥିଲେ ।
ଜଷ୍ଟିସ ଇନ୍ଦିର ବାନାର୍ଜୀଙ୍କ ଖଣ୍ଡପୀଠ ଆଗରେ ଆଶିଷ ମିଶ୍ରାଙ୍କ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ ତାଙ୍କ ମହକିଲଙ୍କ କୌଣସି ପକ୍ଷ ଶୁଣାଯାଇନଥିଲା । କିଛି ସ୍ଥାନରେ ଗୁଳିମାଡ ହୋଇଥିଲା, ଏଥିରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିଲା ଯେଉଁ ଘଟଣାରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇ ତାଙ୍କୁ ତାଙ୍କ ପକ୍ଷ ରଖିବାକୁ ମଧ୍ୟ ଦିଆଯାଇନଥିଲା । ତେବେ ଏ ଦଲିଲ ଶୁଣିବା ପରେ ରାଜ୍ୟ ସରକାରଙ୍କୁ ଏ ବାବଦରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ସୁପ୍ରିମକୋର୍ଟରେ ଆବେଦନ କରିବା ସହ ଆହ୍ଲାବାଦ ହୋଇକୋର୍ଟର ନିଷ୍ପତିକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ଗତବର୍ଷ ଲକ୍ଷୀମପୁର ଖେରୀରେ କୃଷକ ଆନ୍ଦୋଳନ ବେଳେ ହିଂସା ହୋଇଥିଲା । ଏଥିରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ବିଜେପି ନେତାଙ୍କ ପୁଅ ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ ହୋଇଥିଲେ ।