‘ରାଜପଥ’ର ନାମ ହେଲା ‘କର୍ତ୍ତବ୍ୟପଥ’; ଏନ୍‌ଡିଏମ୍‌ସି ବୈଠକରେ ମିଳିଲା ଅନୁମତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରପତି ଭବନଠାରୁ ଇଣ୍ଡିଆଗେଟ୍‌ ପର୍ଯ୍ୟନ୍ତ ସଡକକୁ ଏବେ ଠାରୁ କର୍ତ୍ତବ୍ୟପଥ କୁହାଯିବ। ନୂଆଦିଲ୍ଲୀ ନଗର ପାଳିକା ପରିଷଦ(ଏନ୍‌ଡିଏମ୍‌ସି)ର ବୁଧବାର ହୋଇଥିବା ଏକ ସ୍ବତନ୍ତ୍ର ବୈଠକରେ ଏହାର ନାମ ରାଜପଥରୁ କର୍ତ୍ତବ୍ୟପଥ କରିବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଏହି ଐତିହାସିକ ନିଷ୍ପତ୍ତି ବିଷୟରେ ସମସ୍ତ ଦେଶବାସୀଙ୍କୁ ଅବଗତ କରାଇଛନ୍ତି ଓ ଶୁଭେଚ୍ଛା ଜଣାଇଛନ୍ତି।ସେ କହିଛନ୍ତି, ରାଜପଥର ନାଁ ବଦଳାଇବାର ନିଷ୍ପତ୍ତି ମାତୃଭୂମିର ସେବା କରିବା ଆମର ପ୍ରତିବଦ୍ଧତାକୁ ଦର୍ଶାଏ।

ରାଜପଥ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ରାସ୍ତା ରହିଛି, ଯାହାର ଲମ୍ବ ୩ କିଲୋମିଟର ରହିଛି। ରାଜପଥରେ ପ୍ରତି ବର୍ଷ ଗଣତନ୍ତ୍ର ଦିବସ ପରେଡ୍‌ ବାହାରିଥାଏ। କେନ୍ଦ୍ର ସରକାର ନିକଟରେ ଏହାର ନାଁ ବଦଳାଇ ‘କର୍ତ୍ତବ୍ୟପଥ’ କରିବାର ନିଷ୍ପତ୍ତି ନେଇଛନ୍ତି। ଏହା ଉପରେ ଅନ୍ତିମ ମୋହର ଲାଗିବା ପାଇଁ ନୂଆଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍(ଏନ୍‌ଡିଏମସି) ବୈଠକ ଡକାଇଥିଲା। ବୈଠକରେ ନାମ ପରିବର୍ତ୍ତନ କରିବାର ପ୍ରସ୍ତାବ ଉପରେ ମୋହର ଲାଗିଛି। ଏବେ ଇଣ୍ଡିଆ ଗେଟ୍‌ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମାଠାରୁ ନେଇ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାସ୍ତାକୁ ‘କର୍ତ୍ତବ୍ୟପଥ’ କୁହାଯିବ। ୧୦୨ ବର୍ଷ ମଧ୍ୟରେ ତୃତୀୟ ଥର ରାଜପଥର ନାମ ବଦଳାଯାଇଛି। ବ୍ରିଟିସ୍ ଶାସନରେ ଏହି ସଡକର ନାମ କିଙ୍ଗସୱେ ଥିଲା। ସ୍ୱାଧୀନତା ପରେ ଏହାର ନାଁ ବଦଳାଇ ‘ରାଜପଥ’ କରିଦିଆ ଯାଇଥିଲା, ଯାହାକି କିଙ୍ଗସୱେର ହିନ୍ଦୀ ଅନୁବାଦ। ବର୍ତ୍ତମାନ ଏହାର ନାଁ ବଦଳାଇ କର୍ତ୍ତବ୍ୟପଥ କରି ଦିଆଯାଇଛି।

Related Posts