ବାରିପଦା : ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଞ୍ଚଗାଁ ଗ୍ରାମର ଢ଼ିପାସାହିଠାରେ ଘଟିଛି ଏକ ହୃଦୟବିଦରକ୍ ଦୁର୍ଘଟଣା । ରାତିରେ ମା’ କୋଳରେ ଗଭୀର ନିଦରେ ୨ ନିରୀହ ଶିଶୁ ସୋଇଥିବା ବେଳେ ଚାଲିଯାଇଛି ସମସ୍ତଙ୍କ ଜୀବନ । ହଠାତ୍‌ ରାତିରେ ଘରେ ନିଆଁ ଲାଗିଥିବା ବେଳେ ମା’ ସହ ଜୀବନ୍ତ ଦଗ୍ଧ ଶୋଇଥିଲେ ୨ କଅଁଳା ଶିଶୁ।

ମୃତକ ୩ ଜଣ ହେଲେ ସୁରୁକୁନି ମାର୍ଣ୍ଡି (୨୪) , ୬ବର୍ଷର ଝିଅ ସରିତା ମାର୍ଣ୍ଡି ଓ ୩ମାସର ପୁଅ ଜଗଦୀଶ ମାର୍ଣ୍ଡି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ୍‌ ସୁରୁକୁନିଙ୍କ ସ୍ୱାମୀ ମଙ୍ଗଲ ମାର୍ଣ୍ଡିଙ୍କୁ ଅଟକ ରଖିଛି।

ଗତ ରାତିରେ ପରିବାରର ସମସ୍ତେ ଶୋଇଥିବା ବେଳେ ହଠାତ୍‌ ଅଗ୍ନିକାଣ୍ଡ ଲାଗିଥିବା ମଙ୍ଗଲ ପୁଲିସ୍‌ ସମ୍ମୁଖରେ ପ୍ରକାଶ କରିଛନ୍ତି। ଖବର ପାଇବା ମାତ୍ରେ ସାରସକଣା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ସୁରୁକୁନିଙ୍କ ସମେତ ତାଙ୍କ ପୁଅଝିଅ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ।

ତେବେ ରାତି ଅଧରେ ସମସ୍ତେ ଶୋଇଥିବା ବେଳେ ନିଆଁ କିପରି ଲାଗିଲା, ଏଥିରେ ପରିବାରର ଅନ୍ୟ ସଦସ୍ୟଙ୍କର କିପରି କିଛି କ୍ଷତି ହେଲାନି ତାହା ରହସ୍ୟ ଘେରରେ ରହିଛି।

ପ୍ରକାଶ ଥାଉକି ମଙ୍ଗଲ ପୂର୍ବରୁ ଜଣକୁ ବିବାହ କରିଥିବା ବେଳେ ଘରୋଇ କୋଳି ଯୋଗୁ ସେ ତାକୁ ଛାଡ଼ି ଦେଇ ଦ୍ଵିତୀୟ ବିବାହ କରିଥିଲେ। ଅଗ୍ନିକାଣ୍ଡରେ ମୃତ୍ୟୁର କାରଣ ସ୍ପଷ୍ଟ ନ ଥିବା ବେଳେ ପୁଲିସ୍‌ ସନ୍ଦେହରେ ମଙ୍ଗଲଙ୍କୁ ଝାରପୋଖରିଆ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଏହା ଏକ ଦୁର୍ଘଟଣା ନା ଏହା ପଛରେ କାହାର ହାତ ଅଛି ତାହାର ତଦନ୍ତ ଚଳାଇଛି ପୁଲିସ୍‌ ।

ବାରିପଦାରୁ ସାଇଣ୍ଟିଫିକ ଟିମ୍‌ ଆସିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡିକାଲ କଲେଜକୁ ପଠାଯିବ ବୋଲି ଡିଏସପି ମୁକ୍ତି କୁମାର କୁଲୁ ପ୍ରକାଶ କରିଛନ୍ତି । ଏଥିସହ ତଦନ୍ତ ଆରମ୍ଭ ହୋଇଛି । ଘର ପାଖ ଲୋକଙ୍କୁ ପୋଲିସ ପଚରାଉଚରା କରୁଛି ।