ଭୁବନେଶ୍ୱର,୧୪/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ଏହାକୁ ବିରୋଧ କରି ଆଜି ଭୁବନେଶ୍ୱରରେ ବିଜେପି ପକ୍ଷରୁ ୫ଟି ପ୍ରମୁଖ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହରତାଳ କରାଯାଉଛି। ଭୁବନେଶ୍ୱରର ଏଜି ଛକ, ଜୟଦେବ ବିହାର, ପଳାଶୁଣି ଛକ, ଖଣ୍ଡଗିରି ଛକ ଏବଂ ସାମନ୍ତରାପୁର ଛକରେ ବିଜେପି ନେତା ବିକ୍ଷୋଭ ସହ ପ୍ରତିବାଦ କରୁଛନ୍ତି । ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ବିଗତ ୧୦ ବର୍ଷ ଅପରାଧ ରାଜ୍ୟରେ ବଢି ବଢି ଚାଲିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଗତ କିଛି ବର୍ଷ ହେବ ଏନସିଆରବି ରିପୋର୍ଟ ବାରମ୍ବାର ଏ ତଥ୍ୟ ଦେଇ ଆସିଛି । ରାଜ୍ୟର ଅଧିକାଂଶ ଅପରାଧରେ ଶାଶକ ଦଳର ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି । ପୋଲିସର ମଧ୍ୟ ସମ୍ପୃକ୍ତି ରହୁଥିବା ନେଇ ମଧ୍ୟ ଅଭିଯୋଗ ଆସୁଛି । ନବ ଦାସଙ୍କୁ ଯେଭଳି ହତ୍ୟା କରାଗଲା, ତାହା ବିରଳ। ବିଗତ ୧୫ ଦିନ ଧରି ତଦନ୍ତ ଚାଲିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ଏଯାଏଁ ହତ୍ୟାର କାରଣ ଜାଣି ପାରିଲା ନାହିଁ। ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଗଲା ଏନେଇ କ୍ୟାବିନେଟରେ ଶୋକ ପ୍ରସ୍ତାବ ମଧ୍ୟ ପାରିତ ହେଲା ନାହିଁ । ମନ୍ତ୍ରୀଙ୍କ ହତ୍ୟାରେ କ୍ୟାବିନେଟ ଦୁଃଖିତ କି ? ଗତ ୧୫ ଦିନ ଭିତରେ ୧୫ଟି ନୂଆ କାହାଣୀ ଶୁଣିବାକୁ ମିଳୁଛି । ଫିଲ୍ମ କାହାଣୀ ପରି କ୍ରାଇମବ୍ରାଞ୍ଚ କାହାଣୀ ଲେଖୁଛି । ଲୋକ କହୁଛନ୍ତି ଏଭଳି ଶାସନ ବ୍ୟବସ୍ଥାରେ ଅଶୁରକ୍ଷିତ। ରାଜ୍ୟ ସରକାର ସ୍ଥାଣୁ ପାଲଟି ଯାଇଛି । ବିଜେପି ବାରମ୍ବାର ପ୍ରଶ୍ନ ଉଠାଇଛି । ବିଜେପି କୌଣସି ପରିସ୍ଥିତିରେ ଏହାକୁ ଗ୍ରହଣ କରିବ ନାହିଁ । ମୁଖ୍ୟମନ୍ତ୍ରୀ ବିଫଳ ହୋଇଛନ୍ତି । ଏ ସରକାର ଯିବାର ଆବଶ୍ୟକତା ରହିଛି ବୋଲି ବିଜେପି କହିଛି ।
ସେହିଭଳି ଆସନ୍ତାକାଲି ସମସ୍ତ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ ସହ ଆଇନ ଅମାନ୍ୟ ଆନ୍ଦୋଳନ ଓ ହରତାଳ କରାଯିବ । ୧୬ ତାରିଖରେ ରାଜ୍ୟ ସରକାରଙ୍କୁ ବରଖାସ୍ତ ଦାବିରେ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ । ଦଳ ଅଭିଯୋଗ କରିଛି ଯେ, ଗତ କିଛି ବର୍ଷ ହେବ ରାଜ୍ୟରେ ସାଇବର ଅପରାଧ, ଶିଶୁ ଅପହରଣ, ଲୁଟ୍, ଦୁଷ୍କର୍ମ ଓ ହତ୍ୟା ପରି ଅପରାଧ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଜେପି ରାଜରାସ୍ତାକୁ ଓହ୍ଲାଇଛି।
