ଭୋପାଲ: ମଧ୍ୟପ୍ରଦେଶର ଶହଡୋଲ ଜିଲ୍ଲା ସିଭିଲ୍‌ କୋର୍ଟ ପରିସରରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ | ଯାହାର ଭିଡିଓ ଏବେ ଖୁବ ଭାଇରଲ ହୋଇଛି | ଜଣେ ମହିଳାଙ୍କୁ ଜଣେ ଓକିଲ ବାଡ଼ଉଥିବାର ଦେଖିବାକୁ ମିଳିଛି |

ଚାପୁଡା ଉପରେ ଚାପୁଡା, ଲାତ ଗୋଇଠା ସାଙ୍ଗକୁ ବିଧା। ଯହା ପାରିଲେ ତାହା ମାରି ଚାଲିଲେ। ସେ ପୁଣି କୋର୍ଟ ପରିସରରେ। ମହିଳାଙ୍କୁ ଗୋଡାଇ ଗୋଡାଇ ମନ ଶାନ୍ତି ହେବ ପର୍ଯ୍ୟନ୍ତ ଓକିଲ ଜଣଙ୍କ ପିଟି ଚାଲିଲେ । ମହିଳା ଜଣକ ଯେତେ ଚିତ୍କାର କରୁଥିଲେ ବି କିଛି ଶୁଣିଲେନି। ଆଖପାଖରେ ଲୋକ ଥିଲେ ମଧ୍ୟ କେବଳ ସାଜିଲେ ଦେଖଣହାରୀ। ମହିଳାଙ୍କୁ ଓକିଲଙ୍କ କବଳରୁ ରକ୍ଷା କରିବାକୁ କେହି ଆସିଲେନି।

ସୂଚନାଯୋଗ୍ୟ, ସିଭିଲ୍‌ କୋର୍ଟକୁ ଜଣେ ମହିଳା ଗୋଟିଏ ମାମଲାର ଆଲୋଚନା ପାଇଁ ଓକିଲଙ୍କ ପାଖକୁ ଆସିଥିଲେ। ଏହାପରେ ଓକିଲଙ୍କ କ୍ୟାବିନ ଭିତରେ ଦୁହିଁଙ୍କ ମଧ୍ୟରେ କେସ୍‌କୁ ନେଇ କଥା କଟାକଟି ହୋଇଥିଲା। ପରେ ଓକିଲ ଜଣଙ୍କ ରାଗିଯାଇ ମହିଳାଙ୍କୁ ଆକ୍ରମଣ କରିଥିଲେ। କ୍ୟାବିନ୍‌ ଭିତରୁ ପୀଡିତା ମହିଳାଙ୍କୁ ଧକ୍କା ମାରି ବାହାରକୁ ବାହାର କରିଦେବା ସହ ତାଙ୍କୁ ବିଚ୍‌ ରାସ୍ତାରେ ଗୋଡାଇ ଗୋଡାଇ ପିଟିଥିଲେ। ପାଖରେ ଥିବା ଲୋକଙ୍କୁ ମହିଳା ଜଣଙ୍କ ବଞ୍ଚାଇବା ପାଇଁ ଗୁହାରି କରିଥିଲେ ସୁଦ୍ଧା କେହି ତାଙ୍କୁ ସାହାଯ୍ୟ କରିନଥିଲେ। ଏସମସ୍ତ ଘଟଣା ସିଭିଲ୍‌ କୋର୍ଟ ପରିସରରେ ହିଁ ଘଟିଥିଲା।

ସେପଟେ କୋର୍ଟ ପରିସରରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଏହି ସମସ୍ତ ଘଟଣାକୁ ନିଜ ମୋବାଇଲ୍‌ରେ କଏଦ୍‌ କରିଥିଲେ। ଯାହା ପରେ ସୋଶାଲ ମିଡିଆରେ ଏହି ପୂରା ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ଉକ୍ତ ଓକିଲଙ୍କ ବିରୋଧରେ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।

ସେପଟେ ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି |