ଉପକୂଳ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇଯିବ ବାତ୍ୟା: ଆଜି ନେଇପାରେ ଅବପାତର ରୂପ

ଭୁବନେଶ୍ୱର: ତାତିରୁ ମିଳିଛି ଅସ୍ବସ୍ତି | ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ | ତେବେ ଲଘୁଚାପ ଅଧିକ ଘନୀଭୂତ ହେଉଥିବା ବେଳେ ତାହା ଆଜି ଅବପାତରେ ପରିଣତ ହେବା ନେଇ ଆଶଙ୍କା ଦେଖା ଦେଇଛି | ଅବପାତରେ ପରିଣତ ହେବା ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଅବପାତଟି ୮ ତାରିଖ ଅର୍ଥାତ୍ ଆସନ୍ତାକାଲି ସଂଧ୍ୟାରେ ବାତ୍ୟାରେ ରୂପାନ୍ତରିତ ହୋଇପାରେ । ତାହା କ୍ରମେ ୧୦ ତାରିଖ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ । ତେବେ ଆଜି ଅବପାତରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ । ବାତ୍ୟା କେଉଁ ଉପକୂଳ ଛୁଇଁବ, କେବେ ଛୁଇଁବ ସେନେଇ ଆକଳନ କରିହେବ । ତେବେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ ବୋଲି ଆକଳନ କରାଯାଇଥିବାରୁ ମତ୍ସ୍ୟଜୀବୀ ଫେରି ଆସିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି ।

ସେପଟେ ସମ୍ଭାବ୍ୟ ବାତ୍ୟା ଏବଂ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ସେ କହିଛନ୍ତି, ଆଇଏମ୍‌ଡି ପକ୍ଷରୁ ବାତ୍ୟାର ଗତିପଥ ନେଇ ସ୍ପଷ୍ଟ ସୂଚନା ମିଳିବା ପରେ ସେହି ଅନୁଯାୟୀ NDRF, ଓଡ୍ରାଫ୍ ଟିମ୍ ମୁତୟନ ପାଇଁ ପ୍ଲାନ କରାଯିବ ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୧୦ ତାରିଖରେ ଗଂଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ତେବେ କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି ଏସ୍ଆରସି ପ୍ରଦୀପ ଜେନା ।

୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ ବୋଲି ଆକଳନ କରାଯାଇଥିବାରୁ ୮ ତାରିଖ ସକାଳୁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଆଉ ପ୍ରବେଶ କରାଇଦିଆଯିବନି । ସେମାନଙ୍କ ଉପରେ ନଜର ରଖିବାକୁ ନୌସେନା, କୋଷ୍ଟଗାର୍ଡଙ୍କୁ ନିର୍ଦ୍ଦେଶ କୁହାଯାଇଛି । ଚାଷ ସଂପର୍କିତ ପରାମର୍ଶ ପାଇଁ କୃଷି ବିଭାଗକୁ ଗାଇଡଲାଇନ ପାଇଁ କୁହାଯାଇଛି । ସେହିପରି ଟେଲିକମ୍ କଂପାନୀମାନଙ୍କ ସହ ମଧ୍ୟ ଆଲୋଚନା ହୋଇଥିବା ଏସ୍ଅାର୍ସି କହିଛନ୍ତି ।

Related Posts