କୁନୋ: ଭାରତକୁ ଆସିଛି ଚିତା । ନାମିବ୍ୟାରୁ ୮ଟି ଚିତା ଭାରତକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର କୁନୋ ଅଭୟାରଣ୍ୟର ଏନକ୍ଲୋଜରରେ ଚିତା ମାନଙ୍କୁ ଛାଡ଼ିଛନ୍ତି। ଏହାପରେ ସେ ଚିତା ମିତ୍ର ନାମରେ ସ୍ଥାନୀୟ ସ୍ବେଚ୍ଛାସେବୀମାନଙ୍କୁ ଚିତା ବାଘଙ୍କ ସୁରକ୍ଷା ନେଇ କେତେକ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ନୂଆ ପରିବେଶ ସହିତ ଚିତାମାନେ ନିଜକୁ ଖାପ ନଖୁଆଇବା ପର୍ଯ୍ୟନ୍ତ କାହାରିକୁ ସେଠାକୁ ଆପଣମାନେ ଛାଡ଼ିବେ ନାହିଁ। ବିଶେଷକରି ନେତା ଏବଂ ସାମ୍ବାଦିକମାନଙ୍କୁ ଛାଡ଼ିବେ ନାହିଁ ବୋଲି ମୋଦୀ କହିଛନ୍ତି। ସ୍ବେଚ୍ଛାସେବୀମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ, ତୁମେ ଜାଣ ଚିତାଙ୍କ ପାଇଁ ସବୁଠୁ ବଡ଼ ବିପଦ କ’ଣ? ଏହା ପରେ କହିଥିଲେ ମୋ ଭଳି ନେତାମାନେ ହେଉଛନ୍ତି ବଡ଼ ବିପଦ। ସେମାନଙ୍କୁ ତୁମେ ଅଟକାଇବ। ଯଦି ମୁଁ ବି ଆସେ ମୋତେ ବି ଛାଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେହିଭଳି ଯଦି ମୋ ନାମ ନେଇ ମୋର କେହି ସଂପର୍କୀୟ ପ୍ରବେଶ କରିବାକୁ ଉଦ୍ୟମ କରିଲେ ସେମାନଙ୍କୁ ବି ଛାଡ଼ିବ ନାହିଁ। ସାମ୍ବାଦିକମାନଙ୍କ ଲକ୍ଷ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ‘ବେକ୍ରିଂ ନ୍ୟୁଜ୍‌’ ବ୍ୟକ୍ତିମାନେ ମଧ୍ୟ ଆସିବା ପାଇଁ ପ୍ରଚେଷ୍ଟା କରିବେ। ସାଧାରଣ ଲୋକଙ୍କ ପାଇଁ ଚିତା ଦେଖିବାକୁ ଅନୁମତି ନମିଳିବା ପର୍ଯ୍ୟନ୍ତ ତୁମେ ସେମାନଙ୍କୁ ଛାଡ଼ିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।