‘କାମ ନକରି ପାରିଲେ ଚାକିରି ଛାଡ଼ିଦିଅ’; ଶୀତବସ୍ତ୍ର ବାଣ୍ଟିବାକୁ ଯାଇ ସରକାରୀ ଅଧିକାରୀଙ୍କ ଉପରେ ବର୍ଷିଲେ ଦିଦି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାର ହିଙ୍ଗଗଞ୍ଜ ଗସ୍ତରେ ଏକ ସଭାରେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୀତବସ୍ତ୍ର ବାଣ୍ଟନ କାର୍ଯ୍ୟକ୍ରମ ଥିଲା। ତେବେ କାର୍ଯ୍ୟକ୍ରମରେ ଅନିୟମିତତା ଦେଖି ମମତା ସରକାରୀ ଅଧିକାରୀଙ୍କ ଉପରେ ଖୁବ୍‌ ବର୍ଷିବା ସହ କଡ଼ା ତାଗିଦ କରିଥିଲେ। ରାଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିବା ସହ ୧୫ ମିନିଟ ଯାଏ ବସି ରହିଥିଲେ। ସେ ଲୋକଙ୍କୁ ହାତ ହଲାଇ କହିଥିଲେ ବସି ଯାଅ ମୁଁ ବି ବସୁଛି।

ସୂଚନା ଅନୁସାରେ, ଦେବୀ ପୂଜା ଅବସରରେ ୧୫ ହଜାର ଶୀତକାଳିନ ବସ୍ତ୍ର ସାଧାରଣ ଲୋକଙ୍କୁ ଦେବା ପାଇଁ ମମତା ଘୋଷଣା କରିଥିଲେ। ହେଲେ ମମତା ପହଞ୍ଚିବା ବେଳକୁ ମଞ୍ଚ ଉପରେ ବସ୍ତ୍ର ନଥିଲା। ଯେଉଁଥିପାଇଁ ମମତା ରାଗି ଯାଇଥିଲେ। ସେ କହିଥିଲେ ଯେ ଯେତେବେଳେ ଯାଏ ବସ୍ତ୍ର ଆସିବ ନାହିଁ ସେଯାଏ ସଭା କାର୍ଯ୍ୟ ଆରମ୍ଭ ହେବ ନାହିଁ।

ଶୀତ ବସ୍ତ୍ର ନମିଳିବାରୁ ବିଡିଓ ଓ କଲେକ୍ଟରଙ୍କ ଉପରେ ରାଗିଥିଲେ। ମମତା କହିଥିଲେ ଯେ, ମୁଁ ଯେଉଁ କାର୍ଯ୍ୟ ପାଇଁ ଆସିଛି ତାହା ଯଦି ନାହିଁ, ତେବେ ଭାଷଣ ଦେବାର କିଛି ଆବଶ୍ୟକ ନାହିଁ। ଏଥିପାଇଁ ଜିଲ୍ଲାପାଳ ଓ ବିଡିଓଙ୍କ ଅବହେଳା ପାଇଁ ମୋତେ ଲୋକଙ୍କୁ କ୍ଷମା ମାଗିବାକୁ ପଡ଼ୁଛି। ସେ ଏହି ଦୁଇ ଅଧିକାରୀଙ୍କୁ ରାଗରେ କହିଥିଲେ ଯେ ଯଦି ଠିକ୍‌ ଭାବେ କାମ କରିପାରୁନାହାନ୍ତି ତେବେ ଚାକିରି ଛାଡ଼ି ଦିଅନ୍ତୁ।

ତେବେ ମୁଖ୍ୟମନ୍ତ୍ରୀ ପ୍ରାୟ ୧୫ ମିନିଟ ଯାଏ କାର୍ୟ୍ୟକ୍ରମରେ ବସି ରହିଥିଲେ। ଏହାପରେ କମ୍ୱଳ ଅଣାଯାଇଥିଲା ଏବଂ ପ୍ରାୟ ୧୦୦୦ କମ୍ୱଳ ବିତରଣ କରାଯାଇଥିଲା। ଏହି ଅବସରରେ ମମତା କହିଛନ୍ତି ଯେ, ମୁଁ ଉପହାର ନେଇ ଆସିଥିଲି ହେଲେ ନମିଳିବାରୁ ରାଗ ଆସିଥିଲା। ହେଲେ ପରେ ମମତା ବସ୍ତ୍ର ବିତରଣ କରିଥିଲେ।

Related Posts