ପଦ୍ମପୁରରେ ହିଂସାତ୍ମକ ରାଜନୀତି କରୁଛି ବିଜେଡି; ଅଭିଯୋଗ ନେଇ ଡିଜିଙ୍କୁ ଭେଟିଲା ବିଜେପି ପ୍ରତିନିଧି ମଣ୍ଡଳୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଭିତରେ ବିଜେପି ଓ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ସେପଟେ ଦୁଇ ଦଳ ମୁହାଁମୁହିଁ ହେଉଥିବା ବେଳେ ଉପନିର୍ବାଚନ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ତେବେ ପଦ୍ମପୁରରେ ଶାସକ ଦଳ ହିଂସାତ୍ମକ ମନୋଭବରେ ରାଜନୀତି କରୁଥିବା ଅଭିଯୋଗରେ ମଙ୍ଗଳବାର ରାଜ୍ୟ ପୋଲିସ ଡିଜିଙ୍କୁ ଭେଟିଛି ବିଜେପି ପ୍ରତିନିଧି ମଣ୍ଡଳୀ ।

ପଦ୍ମପୁର ଉପନିର୍ବାଚନ ଲାଗି ମତଦାନ ଗ୍ରହଣକୁ ଆଉ ମାତ୍ର ସପ୍ତାହେ ବାକି ଥିବାବେଳେ ଉଭୟ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପର ରାଜନୀତି । ପଦ୍ମପୁରରେ ବିଜେପି ସରକାରୀ ଅଧିକାରୀଙ୍କୁ କାର୍ଯ୍ୟରେ ବାଧା ଦେଉଥିବା ଅଭିଯୋଗ କରି ବିଜେଡି ସାଂସଦ ସସ୍ମିତ ପାତ୍ର ଆଜି ଟାର୍ଗେଟ କରିଥିବା ବେଳେ ବିଜେଡିର ହିଂସାନୀତି ବିରୋଧରେ ରାଜ୍ୟ ପୋଲିସ ଡିଜିଙ୍କ ଦ୍ବାରସ୍ତ ହୋଇଛି ବିଜେପି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ବରେ ବିଜେପି ବିଧାୟକ ପ୍ରତିନିଧି ମଣ୍ଡଳୀ ଆଜି କଟକରେ ରାଜ୍ୟ ପୋଲିସ ଡିଜିଙ୍କୁ ଭେଟି ବିଜେଡି ବିରୋଧରେ ଅଭିଯୋଗ କରିଛନ୍ତି ।

ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, “ନିର୍ବାଚନକୁ ଆଉ କିଛିଦିନ ବାକି ରହିଥିବାବେଳେ ନିଜର ଦମ୍ଭ ପ୍ରଦର୍ଶନ କରି ଏପରି ଆଚରଣ କରୁଛି ବିଜୁ ଜନତା ଦଳ । ଗୋଟିଏ ନୁହେଁ ବରଂ ୪ଟି ଏପରି ଘଟଣା ସାମ୍ନାକୁ ଆସିଛି । ଯାହା ଏକ ସୁସ୍ଥ ରାଜନୀତିର ପରିଚୟ ନୁହେଁ । ଏହାସହ ଏହି ବର୍ବରତା ପଛରେ ପୋଲିସ ମଧ୍ୟ ଶାସକ ଦଳକୁ ସହାୟତା ପ୍ରଦାନ କରୁଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ଧାମନଗର ଉପନିର୍ବାଚନରେ ପରାଜୟ ପରେ ବିଜେଡି ଆକ୍ରୋଶମୂଳକ ହୋଇପଡିଛି ।” ତେବେ ପୋଲିସ ଡିଜିଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି ବିଜେପି ପ୍ରତିନିଧି ମଣ୍ଡଳୀ । ଆଉ ଏହି ଦିଗରେ ଦୃଷ୍ଟି ଦିଆଯିବ ବୋଲି ପୋଲିସ ଡିଜି ସ୍ପଷ୍ଟ କରିଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।

Related Posts