ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ ହୋଇଛି। ଏଥିରେ ୧୬ ହଜାର ୮୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଆଜି ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ଗୃହରେ ବଜେଟ୍ ଉପସ୍ଥାପିତ କରିଥିଲେ। ଅର୍ଥମନ୍ତ୍ରୀ ପଦ୍ମପୁରରେ ଥିବାରୁ ପଂଚାୟତରାଜ ମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିଛନ୍ତି।

ଏହି ଅତିରିକ୍ତ ବଜେଟରେ ପ୍ରଶାସିକ ବ୍ୟୟବରାଦ ୪୯୩୪ କୋଟି ରହିଥିବାବେଳେ, କ୍ରାର୍ଯ୍ୟକ୍ରମ ବ୍ୟୟବରାଦ ୯୨୦୦ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ୨୬୧୦ କୋଟି ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ବାବଦକୁ ୫୫.୫୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ତେବେ ଅତିରିକ୍ତ ବଜେଟରେ କ୍ରାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ବ୍ୟୟବରାଦ ହୋଇଥିବା ୯୨୦୦ କୋଟିରୁ ୨୦୬୬ କୋଟି ଠଙ୍କା ସହବନ୍ଧିତ ସମ୍ବଳ ସୂତ୍ରରୁ ଓ ୭୧୩୪ କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ତଥା ଅର୍ଥ ସମର୍ପଣ ଦ୍ୱାରା ଭରଣା କରାଯିବ ବୋଲି ସୂଚନା ମିଳିଛି ।

ଅତିରିକ୍ତ ବଜେଟରେ ପ୍ରଶାସନିକ ବ୍ୟୟ କ୍ଷେତ୍ରରେ ମୋଟ ୪୯୩୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ରାଜ୍ୟ ବିପର୍ଯ୍ୟୟ ସଙ୍କଟ ପରିଚାଳନା ପାଣ୍ଠିର ଥିବା ବଳକା ଅର୍ଥ ବାବଦକୁ ଅତିରିକ୍ତ ବଜେଟରେ ୨୬୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବଜେଟରେ କୃଷକ କଲ୍ୟାଣ, ଖାଦ୍ୟ ନିରାପତ୍ତା ଓ ଜଳସେଚନ ସୁବିଧା ପାଇଁ ମୋଟ ୩୦୬.୬୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ଟଙ୍କିକିଆ ଚାଉଳ ଯୋଗାଣ ପାଇଁ ୧୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଜନସ୍ୱାସ୍ଥ୍ୟ ସେବା ପାଇଁ ଅତିରିକ୍ତ ବଜେଟରେ ୮୬୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଯେଉଁଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୬୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ତା ସହିତ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ୍ ପାଇଁ ଅତିରିକ୍ତ ବଜେଟରେ ୫୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସେପଟେ ଅତିରିକ୍ତ ବଜେଟରେ ମହିଳା ସଶକ୍ତିକରଣ ଓ ଶିଶୁ ବିକାଶ ପାଇଁ ୧୭୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ପାଇଁ ମୋଟ ୪୩୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅନ୍ୟପଟେ ଶିକ୍ଷା, କ୍ରୀଡା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ଅତିରିକ୍ତ ବଜେଟରେ ୨୦୮୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।