ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲେନ୍ସକାର୍ଟ ତିଳକ ବିବାଦ ଥମିବାର ନାମ ନେଉନି । ଏହା ମଧ୍ୟରେ ମୁମ୍ବାଇ ସ୍ଥିତ ଏକ ଶୋ ରୁମରେ ବିଜେପି ନେତ୍ରୀ ନାଜିଆ ଇଲାହୀ ଖାନ୍ ପ୍ରବେଶ କରି କର୍ମଚାରୀଙ୍କ ମୁଣ୍ଡରେ ତିଲକ ଲଗାଇବା ସହ ହଙ୍ଗାମା କରିଛନ୍ତି। ଏହା ସହ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଏକ ଦୃଶ୍ୟରେ ଦେଖିବାକୁ ମିଳିଛି ଯେ, ବିଜେପି ନେତ୍ରୀ ଖାନ୍ ଲେନ୍ସକାର୍ଟର ଜଣେ ଷ୍ଟୋର ପରିଚାଳକ ମୋହସିନ ଖାନ୍ ଏବଂ ଅନ୍ୟ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରୁଛନ୍ତି।ସେ ତାଙ୍କ ସମର୍ଥକଙ୍କ ସହ ମିଶି କର୍ମଚାରୀଙ୍କ ମୁଣ୍ଡରେ ଜୋରଜବରଦସ୍ତି ତିଳକ ଲଗାଇବା ସହ ହାତରେ ରକ୍ଷା ସୂତ୍ର ବାନ୍ଧିଥିଲେ ଏବଂ ନାରାବାଜି ମଧ୍ୟ କରିଥିଲେ। ନିଜର ଧାର୍ମିକ ପରିଚୟ ପ୍ରକାଶ କରିବାରେ କୌଣସି ଲଜ୍ଜା ରହିବା ଉଚିତ୍ ନୁହେଁ ବୋଲି ନାଜିଆ କହିବା ସହ, ଯଦି କମ୍ପାନୀ ଏହାର ଜବାବ ନଦିଏ ତେବେ ସଂସ୍ଥାକୁ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ଏପ୍ରିଲ ମାସ ଆରମ୍ଭରୁ ଲେନ୍ସକାର୍ଟର ଏକ ପୁରୁଣା ପୋଷାକ ନିୟମାବଳୀ ସାମ୍ନାକୁ ଆସିବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା। ଅଭିଯୋଗ ଅନୁଯାୟୀ, କମ୍ପାନୀ ହିଜାବ ଏବଂ ପଗଡ଼ି ପିନ୍ଧିବାକୁ ଅନୁମତି ଦେଉଥିବା ବେଳେ ବିନ୍ଦି, ତିଳକ ଏବଂ ରକ୍ଷା ସୂତ୍ର ଉପରେ କଟକଣା ଲଗାଇଥିଲା। ରାଜନୈତିକ ସମୀକ୍ଷକ ଶେଫାଳି ବୈଦ୍ୟ ଏହି ପାତରଅନ୍ତରକୁ ସାମାଜିକ ଗଣମାଧ୍ୟମରେ ଉଠାଇବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପ୍ରଶିକ୍ଷଣ ସମୟରେ ଧାର୍ମିକ ପ୍ରତୀକ ନପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି କିଛି କର୍ମଚାରୀ ମଧ୍ୟ ଅଭିଯୋଗ କରିଥିଲେ। ସମାଲୋଚନା ବୃଦ୍ଧି ପାଇବା ପରେ ଲେନ୍ସକାର୍ଟର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପୀୟୁଷ ବଂଶଲ ସ୍ପଷ୍ଟୀକରଣ ଦେଇଥିଲେ। ବିବାଦୀୟ ନିୟମାବଳୀଟି ବହୁତ ପୁରୁଣା ଏବଂ ଏହା କମ୍ପାନୀର ବର୍ତ୍ତମାନର ନୀତି ନୁହେଁ ବୋଲି ସେ ଦର୍ଶାଇଥିଲେ।
