କୁନୋ ଜାତୀୟ ଉଦ୍ୟାନରେ ଚିତା ଶାବକର ମୃତ୍ୟୁ, ଗତ ୨ ମାସରେ ଚତୁର୍ଥ

ଭୁବନେଶ୍ୱର,୨୩/୫(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ମହିଳା ଚିତା ଜ୍ବାଳା ଠାରୁ ଜନ୍ମ ହୋଇଥିବା ୪ ଟି ଶାବକ ମଧ୍ୟରୁ ଗୋଟିକର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଅନ୍ୟପକ୍ଷରେ, ଏହି ମୃତ୍ୟୁକୁ ନେଇ କୁନୋ ଜାତୀୟ ଉଦ୍ୟାନର ବନ ଅଧିକାରୀ କହିଛନ୍ତି ଯେ ମୃତ୍ୟୁର କାରଣ ଜାଣିବାକୁ ବିଭାଗ ଚେଷ୍ଟା କରୁଛି ।

କୁନୋ ଜାତୀୟ ଉଦ୍ୟାନରେ ଚିତାବାଘ ଛାଡିବା ଏବଂ ସେମାନଙ୍କ ପରିବାର ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରକଳ୍ପ ଆରମ୍ଭ କରିଥିଲେ । ହେଲେ କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କ ପରିବାର ବୃଦ୍ଧି ହେବା ପରିବର୍ତ୍ତେ ଏହା ହ୍ରାସ ପାଉଛି ଏବଂ ଏଭଳି ପରିସ୍ଥିତିରେ ଚିତାକୁ ସ୍ଥାନାନ୍ତର କରାଯିବା ନେଇ ଚିନ୍ତା କରାଯାଉଛି। ଏଠାରୁ ରାଜସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଚର୍ଚ୍ଚା ହେଉଛି ।

ତେବେ ଗତ ୨ ମାସରେ ଏହା ଚତୁର୍ଥ ଚିତା ର ମୃତ୍ୟୁ ହୋଇଥିବା ବେଳେ ନିକଟରେ ଏହାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତା ବ୍ୟକ୍ତ କରିଥିଲେ ଓ ଚିତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ତେବେ ଗତ ମାର୍ଚ୍ଚ ମାସରେ ଏଠାରେ ଚିତା ମୃତ୍ୟୁ ଆରମ୍ଭ ହୋଇଥିଲା। ପ୍ରଥମେ ମହିଳା ଚିତା ସାସାର ମୃତ୍ୟୁ ପରେ, ଏପ୍ରିଲରେ ଉଦୟ ନାମକ ଏକ ଚିତାର ମୃତ୍ୟୁ ହୋଇଥିଲା । ଏହା ପରେ ମହିଳା ଚିତା ଦକ୍ଷାର ମୃତ୍ୟୁ ପରେ ମଙ୍ଗଳବାର ଏକ ଚିତା ଶାବକର ମୃତ୍ୟୁ ହୋଇଛି । ଏହି କ୍ରମାଗତ ମୃତ୍ୟୁରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ କୁନୋ ଜାତୀୟ ଉଦ୍ୟାନରେ ଥିବା ମନିଟରିଂ ଟିମ୍ ଏବଂ ସହଯୋଗୀ ବିଶେଷଜ୍ଞ ମାନେ କେବଳ ଖାଦ୍ୟ ଯୋଗାଣରେ ନିୟୋଜିତ ଅଛନ୍ତି । ଏଥିସହିତ କୁନୋ ପ୍ରଶାସନର ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି । ତିନୋଟି ଚିତା ଏବଂ ଗୋଟିଏ ଛୁଆର ମୃତ୍ୟୁ ପରେ, ବର୍ତ୍ତମାନ ୨୪ ଟି ଚିତା ମଧ୍ୟରୁ ୨୦ ଟି ଅଛନ୍ତି । ସେଥିମଧ୍ୟରୁ ୧୭ ଟି ପୁରୁଷ ଏବଂ ମହିଳା ଚିତା ଏବଂ ୩ ଛୁଆ ଥିବା ସୂଚନା ମିଳିଛି ।

Related Posts