ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିଜ ଜିଦ୍ ରେ ଅଟଳ ସମ୍ବଲପୁର ଓକିଲ ସଂଘ। ‘କୌଣସି ପରିସ୍ଥିତିରେ ଚାପ ଆଗରେ ମୁଣ୍ଡ ନୁଆଁଇବୁ ନାହିଁ। ଲାଇସେନ୍ସ ବାତିଲ ଧମକ ଚାଲିବ ନାହିଁ, କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିବ। ଏହାସତ୍ତ୍ବେ ଜଣଙ୍କୁ ନିଲମ୍ବନ କଲେ ୧୬୦୦ ଆଇନଜୀବୀ ଲାଇସେନ୍ସ ସମର୍ପଣ କରିବେ’, ବୋଲି ସଂଘ ଚେତାବନୀ ଦେଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଖୀ କଣ୍ଢେଇ ସାଜି ବର୍ତ୍ତମାନର ଆଇନଜୀବୀ ପରିଷଦ ଓକିଲମାନଙ୍କ ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ସଂଘ ଅଭିଯୋଗ କରିଛି।

ତେବେ ଆସନ୍ତା ୧୬ ତାରିଖ ବୁଧବାରଠାରୁ ନିୟମିତ କାର୍ଯ୍ୟରେ ଯୋଗ ନଦେଲେ ସଂଘ କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଜୀବୀ ପରିଷଦକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏଭଳି ଆଭିମୁଖ୍ୟ ରଖି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ନ୍ୟାୟ ଦାବି ହାସଲ ପାଇଁ ଯେକୌଣସି ପରିଣାମ ଭୋଗିବାକୁ ପ୍ରସ୍ତୁତ ବୋଲି କହିଛି। ଏଥିସହ ପ୍ରତି ବୁଧବାର ଚାଲିଥିବା ଓକିଲମାନଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଛି।

ଏନେଇ ମଙ୍ଗଳବାର ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଏକ ଜରୁରୀକାଳୀନ ସାଧାରଣ ପରିଷଦ ବୈଠକ ହୋଇଥିଲା। ସଂଘର ସଭାପତି ସୁରେଶ୍ବର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସଂଘର ନିର୍ବାଚିତ କର୍ମକର୍ତ୍ତାଙ୍କ ବିରୋଧରେ ଭାରତୀୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷଙ୍କ ଆଦେଶ ଓ ରାଜ୍ୟ ଆଇନ୍‌ଜୀବୀ ପରିଷଦର ପତ୍ର, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର୍‌ଙ୍କ ତରଫରୁ ସୁପ୍ରିମ୍‌ କୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠ ଆଦି ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ କୁହାଯାଇଥିଲା ‌ଯେ, ସମ୍ବଲପୁର ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତାମାନେ ଗଣତାନ୍ତ୍ରିକ ପଦ୍ଧତିରେ ସମସ୍ତ ସଦସ୍ୟଙ୍କ ଭୋଟ୍‌ ଦ୍ବାରା ନିର୍ବାଚିତ ହୋଇଛନ୍ତି ଏବଂ ସାଧାରଣ ପରିଷଦର ନିଷ୍ପତ୍ତି ଅନୁଯାୟୀ ସଂଘ ପରିଚାଳନା କରୁଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅର୍ଥ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ପ୍ରତିଟି ସଦସ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ବୋଲି ବିଚାର କରାଯିବ। ଏହାକୁ ସଂଘର ପ୍ରତିଟି ସଦସ୍ୟ ଦୃଢ଼ ବିରୋଧ କରିବେ ଓ ଏହାର ଜବାବ ଦେବେ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଥିଲା।

ବହୁବରିଷ୍ଠ ଓ କନିଷ୍ଠ ଆଇନ୍‌ଜୀବୀ ଆଲୋଚନାରେ ଭାଗନେଇ ଜିଲ୍ଲା ଓକିଲ ସଂଘ ବିରୋଧରେ ଭାରତୀୟ ଆଇନଜୀବୀ ପରିଷଦ ଦେଇଥିବା ନିଲମ୍ବନ ଆଦେଶକୁ ନାପସନ୍ଦ କରିବା ସହ ଏହା କ୍ଷମତା ବହିର୍ଭୂତ ବୋଲି ମତ ରଖିଥିଲେ। ସେହିପରି ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର୍‌ ଜେନେରାଲ୍‌ଙ୍କ ପକ୍ଷପାତମୂଳକ ସତ୍ୟପାଠକୁ ବି ସଂଘ ସଦସ୍ୟମାନେ ତୀବ୍ର ବିରୋଧ କରିଥିଲେ। ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜିଲ୍ଲା ସଂଘ ସଭାପତି ଶ୍ରୀ ମିଶ୍ର କହିଥିଲେ ଯେ ଅତୀତରେ କନେଷ୍ଟବଳ ଓ ଓକିଲ ବିବାଦରେ ୮୬ ଦିନ ଧରି ଓଡ଼ିଶା ହାଇକୋର୍ଟକୁ ଅଚଳ କରି ଦିଆଯାଇଥିଲା। ହେଲେ ରେଜିଷ୍ଟ୍ରାର ଜେନେରାଲ୍‌ଙ୍କ ଯାଚିକାରେ ସେ ସଂପର୍କରେ ପଦଟିଏ କୁହାଯାଇନଥିଲା। ମାତ୍ର ଏ ଅଞ୍ଚଳର ବହୁ ପୁରୁଣା ଦାବିକୁ ନେଇ ଉଚ୍ଚ ନ୍ୟାୟାଳୟ ଓ ଓଡ଼ିଶା ସରକାର ନିରବ ରହିଛନ୍ତି, ତାହା ପୂରଣ ହେବାକୁ ଯାଉଥିଲା ବେଳେ ଚାପ ସୃଷ୍ଟି କରି, ଭୟଭୀତ କରି ଏହି ଆନ୍ଦୋଳନକୁ ଚାପି ଦେବାକୁ ଚକ୍ରାନ୍ତ କରାଯାଉଛି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ।

ସେହିଭଳି, ‘ଜନସାଧାରଣଙ୍କ ପକ୍ଷରୁ ଚାଲିଥିବା ଐତିହାସିକ ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନ ପାଇଁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଯେକୌଣସି ତ୍ୟାଗ କରିବାକୁ ପ୍ରସ୍ତୁତ ଓ ଆବଶ୍ୟକ ପଡ଼ିଲେ ସଂଘର ୧୬୦୦ ଆଇନ୍‌ଜୀବୀ ସାମୂହିକଭାବେ ଲାଇସେନ୍ସ ସମର୍ପଣ କରିବେ,’ ବୋଲି ସଂଘ ସଂପାଦକ ସରୋଜ ସାହୁ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି

ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଓକିଲ ସଂଘ ପକ୍ଷରୁ ପ୍ରତ୍ୟେକ ବୁଧବାର କୋର୍ଟ ବର୍ଜନ କରାଯାଉଛି। ତେବେ ଏହାକୁ ନାପସନ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଆଇନଜୀବୀଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରି ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଆସନ୍ତା ୧୬ ତାରିଖ ଅର୍ଥାତ୍‌ ବୁଧବାରଠାରୁ ନିୟମିତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କାର୍ଯ୍ୟରେ ଯୋଗ ନଦେଲେ ସଂଘ କର୍ମକର୍ତ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଜୀବୀ ପରିଷଦକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।