(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବେହାଲ ହୋଇଯାଇଛି ସାରା ରାଜ୍ୟ। ଅନେକ ଅଞ୍ଚଳ ଜଳବନ୍ଦୀ ହେବା ସହ ବହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର କ୍ଷୟକ୍ଷତି ସମ୍ପର୍କିତ ପ୍ରାରମ୍ଭିକ ରିପୋର୍ଟ ସାମ୍ନାକୁ ଆସିଛି । ତେବେ ଏହି ଲଘୁଚାପ ଜନିତ ବର୍ଷାରେ ରାଜ୍ୟର ୫୩ଟି ବ୍ଲକ ପ୍ରଭାବିତ ହୋଇଛି।
ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଲଗାଣ ବର୍ଷାରେ ମୋଟ ୧୧ ଜିଲ୍ଲା ପ୍ରଭାବିତ ହୋଇଛି ଏବଂ ୨୬୫ ଘର ଭାଙ୍ଗି ଯାଇଥିବା ଜଣାପଡିଛି। ତେବେ ଜଗତସିଂହପୁର ଜିଲ୍ଲାର ୮ଟି ବ୍ଲକ ଲଗାଣ ବର୍ଷା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ ୧୯୮ଟି ଗ୍ରାମପଞ୍ଚାୟତ ପ୍ରଭାବିତ ହୋଇଛି । ଜଗତସିଂହପୁର ଜିଲ୍ଲାର ମୋଟ୍ ୧୧,୩୬,୯୭୧ ଲୋକ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି ।
ସେହିପରି କେନ୍ଦ୍ରାପଡାର ଜିଲ୍ଲାର ୫ଟି ବ୍ଲକର ୮୧୧ଟି ଗାଁ ମୋଟ୍ ୭,୭୯,୨୪୧ ଲୋକ ଲଗାଣ ବର୍ଷା ଦ୍ବାରା ପ୍ରଭାବିତ ହୋଇଛନ୍ତି । ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲାର ୨ଟି ବ୍ଲକର ୩ଟି ଗାଁ, କନ୍ଧମାଳର ୩ ବ୍ଲକର ୨୦ଟି ଗାଁ, କୋରାପୁଟର ୫ ବ୍ଲକର ୨୦ଟି ଗାଁ, କଟକର ୨ଟି ବ୍ଲକର ୨,୫୫୬ ଲୋକ, ଯାଜପୁରର ୮ଟି ବ୍ଲକର ୮ ହଜାର ଲୋକ, ପୁରୀ ଜିଲ୍ଲାର ୪ଟି ବ୍ଲକର ୧୫,୪୩୪ ଲୋକ, ଢେଙ୍କାନାଳ ଜିଲ୍ଲାର ୩ଟି ବ୍ଲକର ୯ଟି ଗାଁ ଲଘୁଚାପ ଜନିତ ବର୍ଷା ଦ୍ବାରା ପ୍ରଭାବିତ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାର ୩୨ଟି ଗାଁ ପ୍ରଭାବିତ ହୋଇଥିବା ବେଳେ , ୧୨୫୭ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ବିତ୍ପାତ ଯୋଗୁଁ ମୋଟ୍ ୯୮ଟି ଘର ଭାଙ୍ଗିଛି । ଅନୁଗୁଳରେ ୩ଟି ବ୍ଲକ ପ୍ରଭାବିତ ହୋଇଛି ଏବଂ ମୋଟ୍ ୬ଟି ଘର ଭାଙ୍ଗିଛି।
ସୂଚନାଯୋଗ୍ୟ, ଗଭୀର ଅବପାତ ଝାରସୁଗୁଡ଼ାରୁ ୮୦ କିମି ଓ ସମ୍ବଲପୁରରୁ ୮୫ କିମି ଦୂରରେ ଥିବା ବେଳେ ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ଲାଗି ରହିଛି। ଆଜି ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।